ହିଞ୍ଜିଳିରେ କବାଡ଼ି ଦେକାନ ମାଳମାଳ; ବଢୁଛି ଚୋରା କାରବାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ କିଣା ବିକା କରିବା ଲାଗି ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଗଢି ଉଠିଛି କବାଡ଼ି ଦୋକାନ । ଦିନକୁ ଦିନ ସ୍ଥାନୀୟ ଅଂଚଳରେ କବାଡ଼ି ଦୋକାନ ଗୁଡ଼ିକ ଛତୁ ଫୁଟିଲା ଭଳି ଗଢି ଉଠୁଛି । ବାସ୍ତବ କ୍ଷେତ୍ରରେ କିଛି ଅସାମାଜିକ ଶ୍ରେଣୀର ବ୍ୟକ୍ତି କମ୍ ମଜୁରୀ ପ୍ରଦାନ କରି ଗରିବ ଶ୍ରେଣୀର କୋମଳମତି ଶିଶୁ ମାନଙ୍କୁ ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ ସଂଗ୍ରହ କରିବା ପାଇଁ ପଠାଉଥିବା ବେଳେ ଅସଲରେ କିଛି ଅଲଗା ଉଦ୍ଦେଶ୍ୟ ରହିଥିବା ଜଣାପଡ଼ିଛି । ସଂପୃକ୍ତ ଗରିବ ଶ୍ରେଣୀର ଶିଶୁ ମାନେ ମଉକା ଦେଖି ବିଭିନ୍ନ ସାହି ବସ୍ତିରୁ ଘରର ପଛପଟେ ରହିଥିବା ପିତଳ, କଂସା ବାସନ କୁସନ ସମେତ ଲୁହାରେ ନିର୍ମତ ବିଭିନ୍ନ ଆବଶ୍ୟକ ଯନ୍ତ୍ରପାତିକୁ ଚୋରାଇ ଆଣି କବାଡ଼ି ଦୋକାନରେ ବିକ୍ରି କରୁଥିବା ଜଣାପଡ଼ିଛି । ଏପରିକି କିଛି ଅସାମାଜିକ ଶ୍ରେଣୀର ଯୁବକ ସୁଯୋଗ ଉଣ୍ଡି ବିଭିନ୍ନ ଘରୁ ପାଣି ମୋଟର ସମେତ ପିତଳ, ଆଲୁମିନିୟମ ସାମଗ୍ରୀ ଚୋରି କରି ଖୁବ୍ କମ୍ ଦରରେ କବାଡ଼ି ଦୋକାନ ମାଲିକ ମାନଙ୍କୁ ବିକ୍ରି କରୁଥିବାର ଜଣାପଡ଼ିଛି । ସହରର କିଛି କବାଡ଼ି ଦୋକାନ ମାଲିକ ପ୍ରତିଦିନ ସକାଳୁ ଛୋଟ ଛୋଟ ଶିଶୁ ମାନଙ୍କୁ କିଛି ଟଙ୍କା ଧରାଇ ଦେଇଥାନ୍ତି । ଅଧିକ ଟଙ୍କା ପାଇବା ଆଶାରେ ସଂପୃକ୍ତ ଶିଶୁ ମାନେ ବିଭିନ୍ନ ସାହି ବସ୍ତିରେ ପଶି ସମୟ ସୁବିଧା ଦେଖି ବିଭିନ୍ନ ଘରୁ ଲୁହା, ପିତଳ, ଆଲୁମିନିୟମ ସାମଗ୍ରୀ ଚୋରୀ କରି କବାଡ଼ି ଦୋକାନ ମାଲିକ ମାନଙ୍କୁ ଚୋରୀ ସାମଗ୍ରୀ ଖୁବ୍ କମ୍ ଦରରେ ବିକ୍ରି କରିଥାନ୍ତି । ଚୋରା ସାମଗ୍ରୀକୁ କବାଡ଼ି ଦେକାନ ମାଲିକ ମାନେ କିଲୋ ପିଛା ୨୦ ଟଙ୍କାରେ କିଣୁଥିବା ବେଳେ ସାମଗ୍ରୀର ଚାହିଦା ଅନୁସାରେ ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଏପରିକି କିଛି ଗ୍ରାହକ ସୂଲଭ ମୁଲ୍ୟରେ ଘର କରଣା ସାମଗ୍ରୀ କିଣିବା ଲାଗି ବିଭିନ୍ନ କବାଡ଼ି ଦୋକାନ ମାନଙ୍କରେ ଭିଡ଼ ଜମାଉଥିବାର ନଜିର ରହିଛି । କିଛି ଦିନ ପୂର୍ବେ ବିଭିନ୍ନ ଘରକରଣା ସାମଗୀ କିଣିବା ପାଇଁ ଲୋକମାନେ ସ୍ଥାନୀୟ ଅଂଚଳର କବାଡ଼ି ଦୋକାନ ମାନଙ୍କରେ ଭିଡ଼ ଜମାଉଥିବାର ଦେଖି କବାଡ଼ି ଦୋକାନ ମାଲିକ ମାନେ ସଂପୃକ୍ତ ସାମଗ୍ରୀକୁ ରାତାରାତି ନିଜ ଘରେ ମହଜୁଦ ରଖି ଗ୍ରାହକଙ୍କୁ ଘରକୁ ନେଇ ବିକ୍ରି କରୁଥିବା ଜଣାପଡ଼ିଛି । ପ୍ରତ୍ୟହ ସ୍ଥାନୀୟ ଅଂଚଳର ବିଭିନ୍ନ ସାହି ବସ୍ତିର କିଛି ଘରୁ ଚୋରୀ ହେଉଥିବା ବେଳେ ଛୋଟମୋଟ ଚୋରୀକୁ କେନ୍ଦ୍ର କରି ଥାନାରେ ଏତାଲା ଦେଇ ଅଯଥାରେ ହଇରାଣ ହରକତ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାର ସୁଯୋଗରେ ବହୁ ଅସାମାଜିକ ଯୁବକ ଏହାର ଭରପୁର ଲାଭ ଉଠାଉଛନ୍ତି । ଅନ୍ୟପକ୍ଷରେ ଛୋଟମୋଟ ଚୋରୀକୁ ନେଇ କେହି ଥାନାରେ ଅଭିଯୋଗ କରୁନଥିବାରୁ ପୁଲିସ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଘଟଣା ନେଇ ପୁଲିସ ପକ୍ଷରୁ ସ୍ଥାନୀୟ ଅଂଚଳର କବାଡ଼ି ଦୋକାନ ଗୁଡ଼ିକରେ ଅର୍ତକିତ ଚଢାଉ କରାଗଲେ ବହୁ ଚୋରା କାରବାରର ଗୁମର ଖୋଲିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ