ହିଞ୍ଜିଳିରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର ବିକାଶ କ୍ଷେତ୍ରରେ ହିଞ୍ଜିଳି ୧ନଂ ହେବ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ଚଳିତ ମାସ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୨ୟ ପର୍ଯ୍ୟାୟ ମତଦାନ ସକାଶେ ଆହୁରି ୧୨ ଦିନ ବାକି ରହିଛି । ଅଦ୍ୟାବଧି ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର ଜମିନଥିବା ବେଳେ ବିଜୁ ଜନତା ଦଳ ସର୍ବପ୍ରଥମେ ପ୍ରଚାରକୁ ପ୍ରଭାବି ଢଙ୍ଗରେ ଆରମ୍ଭ କରିଛି । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖନାଦ ଫୁଙ୍କି ନିର୍ବାଚନ ବିଗୁଲ ଶୁଭାରମ୍ଭ କରିଥିବା ବେଳେ ଏଯାବତ୍ ଅନ୍ୟାନ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହୋଇ ପାରିନାହିଁ । ବିଜେଡି ଏ କ୍ଷେତ୍ରରେ ଷ୍ଟାର ପ୍ରଚାରକ ମାନଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଶାଣିତ ଢଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରି ମାରାଥନ ପ୍ରଚାର ଆରମ୍ଭ କରିଛି । ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ ଗସ୍ତ କରି ପ୍ରଚାର ଶୁଭାରମ୍ଭ କରିଥିବା ବେଳେ ମଙ୍ଗଳବାର ବିଜେଡିର ଷ୍ଟାର କ୍ୟାମ୍ପେନର ତଥା ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ତୋଫାନୀ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୧ଟାରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ନିକଟସ୍ଥ ମେଘମାଳ ତୋଟା ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେଠାରୁ ସିଧାସଳଖ ଆସି ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ବିଜୁବାବୁଙ୍କ ପୁର୍ଣ୍ଣାବୟବ ପ୍ରର୍ତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରୁ ସେ ଆଙ୍କୋରଡା, ଗୋପବନ୍ଧୁ ମାର୍ଗ ଦେଇ ଜଗନ୍ନାଥ ମାର୍ଗରେ ଆୟୋଜିତ ସାଧାରଣ ସଭାରେ ଅଭିଭାଷଣ ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ସେ, ହିଞ୍ଜିଳିରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରଣ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ବୋଲି ଉଦବୋଧନ ଦେଇଥିଲେ । ହିଞ୍ଜିଳିକୁ ମୁଖ୍ୟମନ୍ତ୍ରୀ ବିକାଶ ଲାଗି ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି । ବିକାଶ କ୍ଷେତ୍ରରେ ହିଞ୍ଜିଳି୧ନଂ ହେବା ସହିତ ପୌର ପରିଷଦ ମଧ୍ୟ ୧ନଂ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ପାଇଁ ଗୋଟିଏ ଗୋଟିଏ ଭୋଟ ଅତି ମୁଲ୍ୟବାନ । ଏଣୁ ଖରା, ବର୍ଷାକୁ ଭୃକ୍ଷେପ ନକରି ନିଜର ବହୁ ମୁଲ୍ୟ ଭୋଟକୁ ଯୋଡିଶଙ୍ଖରେ ମତଦାନ କରି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିଦେବନ କରିଥିଲେ । ସେଠାରୁ ସେ ରେଗିଡି ସାହି, ନୂଆଁଗଡ, ବ୍ଳକ ଛକ, ହିଞ୍ଜିଳି କାଳୀ ମନ୍ଦିର ଛକ, ରାଧାକୃଷ୍ଣ ନଗର, ସାନ ସାହି ଓ ତରାତରିଣୀ ରାସ୍ତାରେ ଯାଇ ସିକିରି ଓ ରାଳବ ଛକରେ ପହଞ୍ଚି ଶାସନଆମ୍ବଗାଁରେ ଆୟୋଜିତ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିଥିଲେ । ସେଠାରୁ ଫେରି ନନ୍ଦିକ ଛକ, ବାଳକୃଷ୍ଣପୁର ଗସ୍ତ କରି ଡି.ପାଟପୁର ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ପରେ ବେଲଗାଁ, ଗଣ୍ଡଳା, ପଳାସି, ଦୁର୍ବନ୍ଧ ଓ କଞ୍ଚୁରୁ ଗସ୍ତ କରି ସମରଝୋଳ ଛକ ଠାରେ ଆୟୋଜିତ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିବା ସହ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟକ ଭୋଟ ଦେଇ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ବିଜେଡିର ଷ୍ଟାର କ୍ୟାମ୍ପେନର ତଥା ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହିଞ୍ଜିଳି ଗସ୍ତ ସମୟରେ ୩ଟି ସାଧାରଣ ସଭା ଓ ୧୯ଟି ରୋଡ୍ ସୋ ରେ ଅଂଶ ଗ୍ରହଣ କରିଥିଲେ । ପାଣ୍ଡିଆନଙ୍କୁ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ହଜାର ହଜାର ମହିଳା, ପୁରୁଷ, ଯୁବ ଓ ଦଳୀୟ କର୍ମୀ ଉପସ୍ଥିତ ରହି ବାଦ୍ୟବାଜଣା, ଶଙ୍ଖ, ହୁଳହୁଳି ଓ ପୁଷ୍ପବୃଷ୍ଟି କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଉତ୍ତରୀୟ ପ୍ରଦାନ କରିଥିଲେ । ପାଣ୍ଡିାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆସିକା ବିଜେଡି ସାଂସଦ ପ୍ରାର୍ଥୀନୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ଏନ. ରଘୁନାଥ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ସଞ୍ଜୟ ପଣ୍ଡା, ଶିବରାମ ଗୌଡ, ପବିତ୍ର ମୋହନ ପାଣିଗ୍ରାହୀ, ନିଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ପ୍ରଦୀପ କୁମାର ପଣ୍ଡା, ବିଭୁ ପ୍ରସାଦ ପଣ୍ଡା, ହୃଦୟାନନ୍ଦ ମହାପାତ୍ର, ଗୋପବନ୍ଧୁ ବେହେରା, ବସନ୍ତ ବେହେରା, ତରୁଣ ପଣ୍ଡା, ଅମୁଲ୍ୟ ସାହୁ, ଯୁଧିଷ୍ଟିର ଦାସ, ସଞ୍ଜୟ ସ୍ୱାଇଁ, ରୋହିତ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, କାଉନସିଲର, ପ୍ରାକ୍ତନ ସରପଞ୍ଚ, ସମିତିମେମ୍ବରଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।