ହୃଦୟେ ଦର୍ଶନ
ହୃଦୟକୁ କଲି
ରତ୍ନସିଂହାସନ
ତୁମରି ବସିବା ପାଇଁ,
ହୃଦୟେ ବସିଲେ
ଶରୀର ମୋହରି
ଶ୍ରୀମନ୍ଦିର ଯିବ ହୋଇ ।
କେତେ ବା ଆୟୁଷ
କାହାକୁ ଦେଇଛ
କେତେ ବାଟ ଯିବ ଚାଲି,
ଚାଲୁ ଚାଲୁ ଯଦି
ଜୀବ ଚାଲିଗଲା
ଦର୍ଶନ କାହୁଁ ପାଇଲି ।
ମୁଁ ଚାଲି ନପାରେ
ତୁମେ ଚାଲିପାର
ଭକତଙ୍କ ଭାବ ବହି,
ଯେଉଁଠି ବସିବ
ରତ୍ନସିଂହାସନେ
ଭକ୍ତଙ୍କ ହୃଦୟ ସେହି ।
ତୁମେ ହିଁ କହିଛ
ତୁମରି ଭକତ
ଯହିଁ ଡାକେ ଥାଅ ସେଠି,
ଭକ୍ତ ପାଶେ ଗଲେ
ହୃଦୟେ ନବସି
ବସିବ ଆଉ କୋଉଠି ।
ତେଣୁ ମୋ ହୃଦୟ
ରତ୍ନସିଂହାସନ
ଜନ୍ମରୁ ତୁମରି ପାଇଁ,
ପ୍ରାଣ ଯିବାବେଳେ
ହୃଦେ ବସିଥିବ
ଦର୍ଶନ କରିବି ମୁହିଁ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ