ୟୁଏନସିସିଡି ସିଓପି-୧୪ ସମ୍ମିଳନୀର ଶୁଭାରମ୍ଭ

କେନ୍ଦ୍ର ପରିବେଶ ମନ୍ତ୍ରୀ ଆସନ୍ତା ୯ରେ ଉଚ୍ଚସ୍ତରୀୟ ବୈଠକର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ• ପରବର୍ତୀ ୨ ବର୍ଷ ଲାଗି ଚୀନ ଠାରୁ ସିଓପିର ଅଧ୍ୟକ୍ଷତା ଗ୍ରହଣ କଲା ଭାରତ• ବିଶ୍ୱସ୍ତରରେ ଭୂମି ପରିଚାଳନା ଲକ୍ଷ୍ୟର ନେତୃତ୍ୱ ନେବ ଭାରତ• ସ୍ଥାୟୀ ବିକାଶ ଓ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଭାରତ ସଂକଳ୍ପବଦ୍ଧ• କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏବଂ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମିଳନୀ (ୟୁଏନସିସିଡି)ର କାର୍ଯ୍ୟକାରୀ ସଚିବ ଶ୍ରୀ ଇବ୍ରାହିମ ଥିଆଓ ମିଳିତ ଭାବେ ଆଜି ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଂଟର ଏଣ୍ଡ ମାର୍ଟ ଠାରେ ୟୁଏନସିସିଡିର ୧୪ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-୧୪) ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଉଦଘାଟନୀ ସମାରୋହରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କୁ ପରବର୍ତୀ ଦୁଇ ବର୍ଷ ଲାଗି ସିଓପିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଅନୁର୍ବରତା ସମସ୍ୟା ଏବଂ ଭୂମି ଅବକ୍ଷୟର ପ୍ରଭାବ ହ୍ରାସ କରିବା ଦିଗରେ ଦୀର୍ଘସ୍ଥାୟୀ ସମାଧାନ ଖୋଲିବା ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ କହିଥିଲେ, ଚଳିତ ବର୍ଷ ଭାରତ ସିଓପି-୧୪ ସମ୍ମିଳନୀର ଆୟୋଜକ ହେବାର ଗୌରବ ହାସଲ କରିଛି ଏବଂ ପରବର୍ତୀ ଦୁଇ ବର୍ଷ ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ସିଓପିର ଅଧ୍ୟକ୍ଷତା ଦାୟିତ୍ୱ ଚୀନ ଠାରୁ ଗ୍ରହଣ କରିଛି । ଜଳବାୟୁ ପରିବର୍ତନ, ଜୈବ ବିବିଧତା ଏବଂ ଜମି ଉପରେ ସମସ୍ତ ତିନୋଟି ରିଓ ସମ୍ମେଳନର ସିଓପି ଆୟୋଜନ କରିବାରେ ଭାରତ ହାତଗଣତି କେତେକ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି । ସିଓପି-୧୪ ଆୟୋଜନ ଜରିଆରେ ଭାରତ ଭୂମି ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ନେତୃତ୍ୱକୁ ସାବ୍ୟସ୍ତ କରିବ । ଦେଶର ଜାତୀୟ ବିକାଶ ନୀତିରେ ମୁଖ୍ୟଧାରାର ସ୍ଥାୟୀ ଭୂମି ପରିଚାଳନା ପାଇଁ ଏକ ମଂଚ ଯୋଗାଇ ଦେବ । ଶ୍ରୀ ଜାଭଡ଼େକର ତୃଣମୂଳସ୍ତରରେ ସଚେତନତାର ଗୁରୁତ୍ୱ ଏବଂ ଦୃଢ଼ ନୀତିର କାର୍ଯ୍ୟକାରିତା ଉପରେ ଜୋର ଦେଇଥିଲେ । ସମାଧାନ ଖୋଜିବାରେ ଏବଂ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଉଲ୍ଲେଖନୀୟ ଭୂମିକା ବିଷୟରେ ସେ କହିଥିଲେ । ଏ ଧରଣର ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯିବାର ଗୁରୁତ୍ୱକୁ ଉପଲବ୍ଧି କରି ଶ୍ରୀ ଜାଭଡ଼େକର କହିଥିଲେ ଯେ ସିଓପି-୧୪ର ଫଳାଫଳ କୃଷି, ବନୀକରଣ, ଜମି, ଜଳ ପରିଚାଳନା ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସମନ୍ୱୟ ଏବଂ ସାମଞ୍ଜସ୍ୟ ଆଣିବାରେ ସହାୟକ ହେବ । ଫଳରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଏବଂ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଆମ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ । କୃଷି ଉପଯୋଗୀ ଜମି ସଂରକ୍ଷିତ କରି ରଖିବା ଲାଗି ବିଶ୍ୱସ୍ତରରେ ଜାରି ରହିଥିବା ଅଭିଯାନ ବିଷୟରେ ଶ୍ରୀ ଜାଭଡ଼େକର କହିଥିଲେ ଯେ ୧୨୨ଟି ଦେଶ ଭୂମି ଅବକ୍ଷୟ ସମସ୍ୟାର ମୁକାବିଲାକୁ ଜାତୀୟ ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏଥିସହିତ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ସହମତ ହୋଇଛନ୍ତି । ଏସବୁ ଦେଶ ମଧ୍ୟରେ ବ୍ରାଜିଲ, ଚୀନ, ଭାରତ, ନାଇଜେରିଆ, ରୁଷ, ଦକ୍ଷିଣ ଆଫ୍ରିକା ଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ର ସାମିଲ ଅଛନ୍ତି । ଶ୍ରୀ ଜାଭଡ଼େକର ଆହୁରି ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର, ୨୦୧୯ରେ ଉଚ୍ଚସ୍ତରୀୟ ବୈଠକର ଉଦଘାଟନ କରିବେ । ଏତେ ବ୍ୟାପକ ସ୍ତରର ସମ୍ମିଳନୀ ଆୟୋଜନ କରାଯିବାର ଗୁରୁତ୍ୱ ବିଷୟରେ ଶ୍ରୀ ଜାଭଡ଼େକର କହିଥିଲେ ଯେ ଏଭଳି ବିଶ୍ୱ ମଂଚରେ ନିଜର ଅଭିଜ୍ଞତା ଏବଂ ସଫଳତାର କାହାଣୀ ବାଂଟିବା ଫଳରେ ସାରା ବିଶ୍ୱକୁ ସହାୟତା ମିଳିପାରିବ । ଆମେମାନେ ପ୍ରତ୍ୟେକ ଦେଶରେ ଦ୍ରୁତ ଗତିରେ କାର୍ଯ୍ୟ କରିପାରିବା । ସେଥିପାଇଁ ୟୁଏନସିସିଡି ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ଏବଂ ଆମେ ଆଶା କରୁଛୁ ଯେ ଏଥିରୁ କେତେକ ଭଲ ପରିଣାମକୁ ଦିଲ୍ଲୀ ଘୋଷଣାପତ୍ରରେ ଅଧିସୂଚିତ କରାଯିବ । ଦିଲ୍ଲୀ ଘୋଷଣାପତ୍ର ଭବିଷ୍ୟତ କାର୍ଯ୍ୟଯୋଜନାର ରୂପରେଖ ହେବ । ନିକଟରେ ହୋଇଥିବା ବୈଜ୍ଞାନିକ ପୂର୍ବାନୁମାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଶ୍ରୀ ଇବ୍ରାହିମ କହିଥିଲେ ଯେ ପାଣିପାଗ ସହ ଜଡ଼ିତ ବିପତି ଯଥା ମରୁଡ଼ି, ଜଙ୍ଗଲ ନିଆଁ, ପ୍ରଳୟଙ୍କରୀ ବନ୍ୟା ଓ ଜମି କ୍ଷରଣ ଆଦି ଆମକୁ ଚେତାବନୀ ଦେଉଛି । ପରିବର୍ତନର ସୁଯୋଗକୁ ଧ୍ୟାନରେ ରଖିବା ସହିତ ଏ ସଂକ୍ରାନ୍ତରେ କାର୍ଯ୍ୟ କରିବା ଲାଗି ସେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରିଥିଲେ । ଶ୍ରୀ ଇବ୍ରାହିମ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ଲାଗି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଆମେ ଭାରତକୁ ଆସି ନିଜକୁ ଗୌରବାନ୍ୱିତ ମନେ କରୁଛୁ । ୟୁଏନସିଡି ଦ୍ୱାରା ଆୟୋଜିତ ଏହି ସିଓପି ସମ୍ମିଳନୀ ନିଶ୍ଚିତ ଭାବେ ସବୁଠୁ ବଡ଼ ବୋଲି ସେ କହିଥିଲେ । ଆଶା କରାଯାଉଛି ଯେ, ୧୭୭ଟି ଦେଶରୁ ପାଖାପାଖି ୭୨୦୦ ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହେବେ । ପ୍ରତିନିଧିମାନଙ୍କ ମଧ୍ୟରେ ମନ୍ତ୍ରୀ, ସରକାରଙ୍କ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବୈଜ୍ଞାନିକ, ମହିଳା ଓ ଯୁବକମାନେ ସାମିଲ ଅଛନ୍ତି । ସମ୍ମିଳନୀରେ ପାଖାପାଖି ୩୦ ହଜାର ନିଷ୍ପତି ନିଆଯିବ । ଏହି ନିଷ୍ପତି ଫଳରେ ସାରା ବିଶ୍ୱରେ ଜମିର ଉପଯୋଗ ଲାଗି ନୀତିକୁ ଆହୁରି ସୁଦୃଢ଼ କରାଯିବ । ଏଥିସହିତ ମରୁଡ଼ି, ଧୂଳି ଝଡ଼, ବାଲି ଚରିଯିବା ଭଳି ବିପଦର ମୁକାବିଲା କ୍ଷେତ୍ରରେ ମଧ୍ୟ ସହାୟତା ମିଳିବ । ୟୁଏନସିସିଡି ହେଉଛି ଭୂମିର ଉତମ ରକ୍ଷଣାବେକ୍ଷଣ ଲାଗି ଏକ ଅନ୍ତର୍ଜାତୀୟ ବୁଝାମଣା । ଏହା ସମାବେଶୀ ଭୂମି ପରିଚାଳନା ଜରିଆରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ, ଜଳ ଏବଂ ଇନ୍ଧନ ସୁନିଶ୍ଚିତ କରିବାରେ ଜନସାଧାରଣ, ଗୋଷ୍ଠୀ ଓ ଦେଶଗୁଡ଼ିକୁ ସହାୟତା ଯୋଗାଇ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ