୧ରୁ କାଉଣ୍ଟରରେ ମିଳିବ ମଦ
ଭୁବନେଶ୍ୱର : କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲାଇନ ମାଧ୍ୟମରେ ମଦ ଉପଲବ୍ଧ କରାଉଥିଲେ । ମଦ ଦୋକାନୀ ଏବଂ ଜୋମାଟୋ ଓ ସ୍ୱିଗ ଜରିଆରେ ମଦ ଗ୍ରାହକଙ୍କ ପାଖରେ ପହଁଚୁଥିଲା । କିନ୍ତୁ ଏବେ କାଉଂଟରରେ ମଦ ଦେବାକୁ ନିଷ୍ପତି ନିଆଯାଇଛି । ଆସନ୍ତା ଜୁଲାଇ ୧ରୁ କାଉଣ୍ଟରରେ ମଦ ମିଳିପାରିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ମଦ ମିଳିବ । ଅପରପକ୍ଷରେ ପୂର୍ବଭଳି ହୋମ ଡେଲିଭରି ବ୍ୟବସ୍ଥା ମଧ୍ୟ ଜାରି ରହିବ । ଏଥିପାଇଁ କେତେକ ସର୍ତାବଳୀ ମଧ୍ୟ ରହିଛି । ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା କରି ମଦ ନେବେ । ମୁହଁରେ ସମସ୍ତେ ମାସ୍କ ପିନ୍ଧିବେ । ଦୋକାନୀମାନେ ଏହା ନିଶ୍ଚିତ କରିବେ । ଯେଉଁ କାଉଣ୍ଟରରେ ନିୟମ ଉଲ୍ଲଂଘନ ହେବ ସେହି କାଉଣ୍ଟରକୁ ଜିଲ୍ଲାପାଳମାନେ ବନ୍ଦ କରିପାରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ କାଉଂଟରରୁ ମଦ ନେବା ପାଇଁ ପୋର୍ଟାଲରେ ବୁକିଂ କରି ଟୋକନ ନେବାକୁ ପଡ଼ିବ । ଟୋକନରେ ମଦ ମିଳିବାର ସମୟ ମଧ୍ୟ ଉଲ୍ଳେଖ ରହିବ । ଇ-ଟୋକନ କିଭଳି ମିଳିବ ସେନେଇ କାଉଣ୍ଟର ପକ୍ଷରୁ ଡିସପ୍ଲେ କରାଯିବ । ସୂଚନାଯୋଗ୍ୟଯେ, କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ହୋମ ଡେଲିଭରୀ ବ୍ୟବସ୍ଥା କରିଥିଲେ । ସେହିପରି ୫୦% କରୋନା ଟିକସ ମଧ୍ୟ ନେଉଥିଲେ । ଫଳରେ ମଦ ଦାମ ପ୍ରାୟ ଦେଢ଼ ଗୁଣା ହେବା ସହ ଡେଲିଭରି ଦେୟ ବାବଦରେ ଅତିକମରେ ଶହେ ଟଙ୍କା ଦେବାକୁ ପଡ଼ୁଥିଲା । ଫଳରେ ମଦ ବେପାର ବହୁ କମିଯାଇଥିଲା । ଅନେକ ମଦ ଦୋକାନୀ ସରକାରଙ୍କୁ ଏନେଇ ଅବଗତ କରିଥିଲେ । ଅପରପକ୍ଷରେ ଗତକାଲି ଦେଶୀ ମଦର ହୋମ ଡେଲିଭରୀ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା ।