୧୦ଲକ୍ଷ ଟଙ୍କା ଠକେଇ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ରଥ ସାହିର ଜତିରାଜ ଦାଶଙ୍କ ସହ ଛତ୍ରପୁର ଥାନା ଅନ୍ତର୍ଗତ ସରକାରୀ ଆଇ.ଟି.ଆଇ. କଲେଜ ନିକଟରେ ହୋଇଥିବା ଏକ ବଡ଼ ଠକେଇ ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସଡ଼ିଜେଏମ୍ ପ୍ରୀତିଶ କୁମାର ରଥ, ମୁଖ୍ୟ ଅଭିଯୁକ୍ତ ଆଲିପୁର, ଆସ୍କା ନିବାସୀ ଶିବରାମ ଗୌଡ଼ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୨୦ରେ ଦୋଷୀ ସାବ୍ୟସ୍ତ କରି ୮ମାସର କାରାଦଣ୍ଡ ସହ ୩୦୦୦ ଟଙ୍କାର ଜୋରିମାନା ରେ ଦଣ୍ଡିତ କରାଗଲା। ଜୋରିମାନା ଅନାଦେୟ ହେଲେ ଅଧିକ ୩ମାସ ଜେଲ ଭୋଗ କରିବେ ବୋଲି ମାନ୍ୟବର ବିଚାରପତି ନିଜ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ ଯେ, ତା ୧୭-୦୩-୨୦୨୩ ଦିନ ସକାଳ ସମୟରେ ମୁଖ୍ୟ ଅଭିଯୁକ୍ତ ଆସ୍କା ନିବାସୀ ଶିବରାମ ଗୌଡ଼ ତାଙ୍କର ବନ୍ଧୁ ଛତ୍ରପୁର ନିବାସୀ ପ୍ରିୟବ୍ରତ ପଣ୍ଡାଙ୍କ ଦ୍ୱାରା ଅଭିଯୋଗକାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ବ୍ୟବସାୟରେ ଟଙ୍କା ନିତାନ୍ତ ଆବଶ୍ୟକ ଥିବା କହି ଅଭିଯୋଗକାରୀଙ୍କଠୁ ଛତ୍ରପୁରରେ ଓ ପରେ ପୁରୁଷୋତ୍ତମପୁରରେ ଏମିତି କରି ୧୦ଲକ୍ଷ ଟଙ୍କା ନେଇଥିଲେ ଓ ଏ ସଂକ୍ରାନ୍ତରେ ଏକ ଚୁକ୍ତିନାମା ବି କରିଥିଲେ ଯେ, ୧୭-୦୯-୨୦୨୩ ସୁଦ୍ଧା ସମସ୍ତ ଟଙ୍କା ଫେରାଇ ଦେବେ। କିନ୍ତୁ ଉପରୋକ୍ତ ତାରିଖ ଗଲା ପରେ ବି ପଇସା ଫେରାଇ ନଥିଲେ ତଥା ବାରମ୍ବାର ମାଗିବା ପରେ ବି ଦେଇନଥିଲେ। ତେଣୁ ଅଭିଯୋଗକାରୀ ନିଜ ସହ ପ୍ରତାରଣା ହୋଇଥିବା ଭାବି ତା ୧୯-୧୨-୨୦୨୩ରେ ଛତ୍ରପୁର ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୮୬୧/୨୦୨୩ ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ମାମଲା ବିଚରାଧୀନ ରହିଥିଲା। ତତ୍କାଳୀନ ସବ ଇନ୍ସପେକ୍ଟର ବିଶ୍ୱଜିତ ନାୟକ ଏହି ମାମଲାର ତଦନ୍ତ କରିଥିଲେ। ଆଜି ୯ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟ କାଗଜପତ୍ରକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ୮ମାସର କାରାଦଣ୍ଡ ସଜା ଶୁଣାଇଥିଲେ। ସୂଚନାଯୋଗ୍ୟ ଯେ, ଉକ୍ତ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁତ ଗୁଡିଏ ଠକେଇ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ପଡି ରହିଛି ଓ ଏହା ପ୍ରଥମ ମାମଲା ଯେଉଁଥିରେ ଅଭିଯୁକ୍ତଙ୍କୁ ସଜା ଶୁଣାଯାଇଛି।


