୧୫ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଂପ୍ରତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଯୁବଗୋଷ୍ଠୀ ଆଗେଇ ଆସିବା ଜରୁରୀ । ଜାତୀୟତାର ମହାନ୍ ଚିନ୍ତାଧାରାରେ ଯୁବକମାନେ ଉଦ୍ବୁଦ୍ଧ ହୋଇ କାର୍ଯ୍ୟକଲେ ବିଶ୍ୱର ଅନ୍ଧାରରୂପୀ ଶତ୍ରୁକୁ ହଟାଯାଇପାରିବ । ଆତଙ୍କବାଦ ଦେଶର ଏକତା ଏବଂ ଶାନ୍ତି ପାଇଁ ଏକ ବଡ ବିପଦ । ଯୁବକମାନେ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ହିଂସା ସଂସ୍କୃତିରୁ ଦୂରେଇ ରହିବା ଉଚିତ୍ । ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଯୁବକମାନେ ବିରୋଦ୍ଧ ଓ ନିନ୍ଦା କରିବା ଉଚିତ୍ । ଦେଶର ଶାନ୍ତିି, ମାନବିକତା, ସୌହାର୍ଦ୍ଦ୍ୟ ଏବଂ ଏକତା ବଜାୟ ରଖିବା ପାଇଁ ଯୁବକମାନଙ୍କ ମଧ୍ୟରେ ଦୃତମନୋବଳ ଓ ପ୍ରୟାସ ଜାରି ରହିବା ଉଚିତ୍ ବୋଲି ୧୫ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନାଇଜରର ରେଜିଷ୍ଟ୍ରାର ଡ. ଅଭୟ କୁମାର ନାୟକ, ସମ୍ମାନୀତ ଅତିଥି ରୂପେ ସଂସ୍କୃତି ମନ୍ତ୍ରଣାଳୟର ସହ ନିର୍ଦ୍ଦେଶକ ଡ. ତାପସ କୁମାର ସାମନ୍ତରାୟ, କଳିଙ୍ଗ ହସ୍ପିଟାଲର ସହ ନିର୍ଦ୍ଦେଶକ ଜ୍ଞାନେନ୍ଦୁ ମହାପାତ୍ର, କିଟ୍ ଓ କିସ୍ ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା ଓ ଯୋଗ ବିଭାଗର ଡ଼ାଇରେକ୍ଟର ଜେନେରାଲ୍ ଡ. ଗଗନେନ୍ଦୁ ଦାଶ, ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧାର ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ନେହେରୁ ଯୁବକେନ୍ଦ୍ର ଅନୁଗୁଳ ଜିଲ୍ଲାର ଯୁବ ଅଧିକାରୀ ପ୍ରଦୀପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ସହାୟକ ବିଭାଗୀୟ ଅଧିକାରୀ ରୋହିତ ନନ୍ଦେଶ୍ୱର, କୁଳମଣି ମଲ୍ଲିକ, ଶୁଭେନ୍ଦ୍ରନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜଙ୍କିଆ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା ଏତଦ୍ସହ ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ବକ୍ତୃତା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଅର୍ଥରାଶି ସହ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।


