୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର (ୱାଇଏନ୍ଏସ୍): ରାଜ୍ୟରେ ମିଶନ ଶକ୍ତି ନାମରେ ଏକ ନୂତନ ବିଭାଗ ଗଠନ କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛି । ପୂର୍ବରୁ ଏହି ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିôଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ,ସାମାଜିକ ନିରାପତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ସାଧାରଣ ଅଭିଯୋଗ, ପଂଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଏବଂ ଇସ୍ପାତ ଏବଂ ଖଣି ବିଭାଗର ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ ଦଶଟି ମେଗା ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନା କୁ ଅନୁମୋଦନ କରାଯାଇଛି । ଆଉଲ୍, ରାଜକାନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗଁଡିଆ, ଭୁବନ, ଗୋଲାମୁଣ୍ଡା, ଯାଜପୁର ଏବଂ ବିଂଝାରପୁର ବ୍ଲକରେ ଏହି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ସେହିପରି ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଂଚାୟତଏବଂ ଝାରସୁଗୁଡା ଜିଲ୍ଲାର ୨ ଗ୍ରାମପଂଚାୟତ ପାଇଁ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପ ପାଇଁ ନିଷ୍ପତି ହୋଇଛି । ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲାର ରେମୁଣା ତାହସିଲରେ ଏମସ୍ ର ଗୋଟିଏ ସାଟେଲାଇଟ୍ କେନ୍ଦ୍ର ନିର୍ମାଣ ପାଇଁ ୨୫ ଏକର ଜମି ଲିଜ୍ ପାଇଁ କ୍ୟାବିନେଟ୍ ମଞ୍ଜୁର କରିଛି ।ବୈଠକ ପରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


