୨୦୧୫ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକ ମାନଙ୍କୁ ତୁରନ୍ତ ରେଗୁଲାର କରିବା ନିମନ୍ତେ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ପ୍ରାୟ ୮ ବର୍ଷ ଧରି ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ ଥିବା ଶିକ୍ଷକ ମାନଙ୍କୁ ରେଗୁଲାର ଶିକ୍ଷକ ଭାବେ ପରିଣତ କରିବା ଦାବି ନେଇ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବହୁ ଘଣ୍ଟା ଧରି ଜିଲ୍ଲାପାଳଙ୍କୁ ଅପେକ୍ଷା କରି ରହିଛନ୍ତି । ସେମାନେ କହିବା ଅନୁସାରେ ଗତ ୨୦୧୫ ଜାନୁୟାରୀ ମାସରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ରେଗୁଲାର କରାଯାଇନାହିଁ । ସରକାରଙ୍କ ନିୟମ ପ୍ରକାରେ ନିଯୁକ୍ତିର ୬ ବର୍ଷ ପରେ ରେଗୁଲାର କରାଯିବାର ନିୟମ ରହିଥିଲେ ମଧ୍ୟ ତାହା ଗଞ୍ଜାମ ଜିଲ୍ଲାରେ ବ୍ୟତିକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି । ଏଣୁ ତୁରନ୍ତ ସେମାନଙ୍କୁ ରେଗୁଲାର ନିଯୁକ୍ତି ଅର୍ଡର ପାଇଲେ ଏଠାରୁ ଯିବୁ ବୋଲି ଶିକ୍ଷକ ମାନେ ନିଜ ଜିଦ୍ ରେ ଅଟଳ ରହିଛନ୍ତି । ଏହାର ସୂଚନା ପାଇ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେମାନଙ୍କ ଜିଦ୍ ରେ ଅଟଳ ରହିଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ ଶିକ୍ଷା ସହାୟକ ମାନଙ୍କୁ ରେଗୁଲାର କରାଯାଇଥିଲେ ସୁଦ୍ଧା ଆମ ମାନଙ୍କ ପ୍ରତି କାହିଁକି ବିଳମ୍ବ କରାଯାଇଛି ବୋଲି ସେମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି । ନିଜ ନିଜ ଅଂଚଳର ବିଇଓ ମାନଙ୍କୁ ଆମ ମାନଙ୍କୁ ରେଗୁଲାର ଅର୍ଡର ଚିଠି ପ୍ରଦାନ କରିଲେ ଆମେ ଏଠାରୁ ଯିବୁ ବୋଲି ସେମାନେ ଜିଦ୍ ଧରି ରହିଥିଲେ । ନ୍ୟୁଜ ଲେଖାହେଲା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅର୍ଡରକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।