୨୫ ଭାରତ ବନ୍ଦକୁ ‘ଆମ ଅଧିକାର’ର ସମର୍ଥନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଡ଼ାକରାକୁ ସମର୍ଥନ ଘୋଷଣା କରିଛି ‘ଆମ ଅଧିକାର’ ସଂଗଠନ । ମୋଦି ସରକାରଙ୍କ ଏହି ଦୁଇଟି ବିଲ୍ ଦେଶର କୃଷକମାନଙ୍କ ସ୍ୱାର୍ଥର ପରିପନ୍ଥୀ ଏବଂ ଏହା ଦ୍ୱାରା ଚାଷୀମାନେ ଭୀଷଣ କ୍ଷତିଗ୍ରସ୍ତ ହେବେ ବୋଲି ଆମ ଅଧିକାର ପକ୍ଷରୁ କୁହାଯିବା ସହ ଏହି ବିଲ୍ ବିରୋଧରେ ଦେଶ ତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମଧ୍ୟ ସମର୍ଥନ ଜ୍ଞାପନ କରାଯାଇଛି ।
ସେହିପରି ଲୋକସଭାରେ ଏହି ବିଲ୍କୁ ବିଜେଡ଼ିର ସମର୍ଥନ ଓ ରାଜ୍ୟସଭାରେ ବିରୋଧ ଧର୍ମକୁ ଆଖିଠାର ଏବଂ ନିରୋଳା ନାଟକ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଆମ ଅଧିକାର ପକ୍ଷରୁ କୁହାଯାଇଛି । ଆଗାମୀ ୨୫ ତାରିଖ ଭାରତ ବନ୍ଦରେ ଆମ ଅଧିକାରର ସଭ୍ୟ ସମର୍ଥକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ଏବଂ ଏକ ଶୋଭାଯାତ୍ରାରେ ଆସି ସଚିବାଳୟ ସାମ୍ନାରେ ପିକେଟିଂ କରିବେ ବୋଲି ସଂଗଠନର ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ଭରତ ପରିଡ଼ା, ମାନସ ପଟ୍ଟନାୟକ, ଭୁବନ ଚାନ୍ଦ ହାତୀ, କ୍ରିଷ୍ଣା ଶତପଥୀ ଏବଂ ପାର୍ଥସାରଥୀ ଜେନା ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


