୪୮ ଘଣ୍ଟା ମଧ୍ୟରେ ଡ଼କାୟତଙ୍କୁ ଧରିବାରେ ପୋଲିସର ସଫଳତା
ନବରଙ୍ଗପୁର,(ୱାଇଏନଏସ):ସେଲ୍ଫି ନେବା ହେଲା କାଳ, ଡକାୟତି କରିବା ପରେ ସେଲ୍ଫି ନେଇ ମଉଜ କରୁଥିବା ବେଳେ ମାଡ଼ିବସିଲା ପୋଲିସ । ଲୁଟ ହୋଇଥିବା ଟଙ୍କା ସହ ମୋବାଇଲ, ବାଇକ ମଧ୍ୟ ଜବତ କରିଛି ପୋଲିସ ସୂଚନା ଅନୁଯାଇ ଗତ ୧୫ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନରେ ଥିବା ଛତାବେଡା ଗ୍ରାମ ନିକଟରେ ଏମଡି ହଫିଜୁଲା ଅଂସାରୀ ନାମକ ବ୍ୟବସାୟୀ ଏବଂ ତାଙ୍କ ଦୁଇ ସହଯୋଗୀ ଙ୍କୁ କିଛି ଦୁର୍ବୁତ୍ତ ମୁଁହରେ ମୁଖା ପିନ୍ଧି ମାଡ଼ ମାରି ତାଙ୍କ ଠାରୁ ଆଠ ଲକ୍ଷ ପଚାଶ ହଜାର ଟଙ୍କା ଲୁଟ କରି ନେଇଥିଲେ ।ଏବିଷୟରେ ଅଂସାରୀ ରାଇଘର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଏସପି ମିହିର କୁମାର ପଣ୍ଡା ଙ୍କ ନିର୍ଦେଶକ୍ରମେ ଏସଡିପିଓ ମିନାକ୍ଷୀ ଠାକୁର ଙ୍କ ନେତୃତ୍ୱ ରେ ରାଇଘର ଏସ ଆଇ ମନୋଜ ବେହେରା ଓ ପୋଲିସ ଫୋର୍ସ, ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ଶିବଜି ପଣ୍ଡା,କନେଷ୍ଟବଳ ନରେନ୍ଦ୍ର ନାୟକ ଓ ପୋଲିସ ଫୋର୍ସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆଠ ଲୁଟେରା ଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲେ।ସେହି ଲୁଟେରା ମାନଙ୍କ ମଧ୍ୟରୁ ଚାରି ଜଣ ନାବାଳକ ରହିଥିବା ସୂଚନା ଦେଇଛନ୍ତି ଏସପି। ସେମାନଙ୍କ ଠାରୁ ୬ଲକ୍ଷ ୬୮ହଜାର ଟଙ୍କା, ୬ ଟି ମୋବାଇଲ ଓ ଚାରୋଟି ବାଇକ ଜବତ କରିଛି ପୋଲିସ। ଗିରଫ କରାଯାଇଥିବା ଲୁଟେରା ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଲୁଟ ର ମାଷ୍ଟରମାଇଣ୍ଡ ଫେରାର ଥିବା ଜଣାପଡିଛି । ଏହି ଡକାୟତି ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଅତିଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ମିହିର କୁମାର ପଣ୍ଡା।