୪ ଗଞ୍ଜେଇ ବେପାରୀ ଗିରଫ ୪୮.୯ କେଜି ଗଞ୍ଜେଇ ଜବତ
ବାଲେଶ୍ୱର, (ସରୋଜ ପଣ୍ଡା) : ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ ହୋଇ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୪୮.୫ କେଜି ଗଞ୍ଜେଇ ଜବତ ହୋଇଛି । ଗିରଫ ଯୁବକମାନେ ହେଲେ ଗଜପତି ଜିଲା ଆର ଉଦୟଗିରି ଅଞ୍ଚଳର ଜାକୁବ ମାଝୀଙ୍କ ପୁତ୍ର ମନୋଜ ମାଝୀ (୨୨), ପୁଷ୍ପା ମାଝୀଙ୍କ ପୁତ୍ର ନାଥ ମାଝୀ (୩୦) ଓ ପ୍ରଶାନ୍ତ ବୋଇତି(୨୯) ଏବଂ ବିହାର ରାଜ୍ୟ ବଇଁଶାଳି ଜିଲା ବିଷ୍ଣୁପତି ଅଞ୍ଚଳର ସ୍ୱର୍ଗତ ଈଶ୍ୱରଧାରୀ ଚୌଧୁରୀଙ୍କ ପୁତ୍ର ଆଲୋକ ଚୌଧୁରୀ (୩୫) । ଗଞ୍ଜେଇ ସହ ଟ୍ରେନ ଓ ବସରେ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସଦର ଓ ବସ୍ତା ଅବକାରୀ ବିଭାଗ ଦଳ ସମେତ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଟିମ ସେମାନଙ୍କୁ ଗିରଫ କରିଥିଲା । ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲାପାଳ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସଦର, ବସ୍ତା ଏସଆଇଙ୍କ ସମେତ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ପକ୍ଷରୁ ବସ୍ତା, କୁରୁଡ଼ା ଓ ବାଲେଶ୍ୱର ରେଳ ଷ୍ଟେସନରେ ଚଢ଼ଉ କରିଥିଲା । ୩ ସ୍ଥାନରେ ଚଢ଼ଉ ହୋଇ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏନେଇ ପୃଥକ ପୃଥକ ୩ ଗୋଟି ମାମଲା ରୁଜୁ ସହ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜବତ ହୋଇଥିବା ୪୮.୫ କେଜି ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଡ଼େଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଅନୁଗୁଳରୁ ବାଲେଶ୍ୱର ଅଣାଯାଇ ଏଠାରୁ ପୁଣି ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।


