୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ଯୋଜନା
ନୂଆଦିଳ୍ଲୀ, (ଏଜେନ୍ସି): କେନ୍ଦ୍ର ସରକାର ଟେଲିକମ୍ ସ୍ପେକ୍ଟ୍ରମ୍ ପାଇଁ ଏଯାବତ୍ର ସବୁଠାରୁ ବଡ଼ ନିଲାମୀ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅନୁମାନନୁସାରେ ୫ଜି ସ୍ପେକ୍ଟ୍ରମର ନିଲାମୀର ମୂଲ୍ୟ ୬ଲକ୍ଷ କୋଟି ଟଙ୍କା ହେବ । ଏହି ସ୍ପେକ୍ଟ୍ରମ ନିଲାମୀ ପରେ ଶସ୍ତା ୫ଜି ସେବାର ଆରମ୍ଭ ହୋଇପାରିବ । ଏଥିରେ ଗ୍ରାମାଞ୍ଚଳରେ ଫାଇବର୍-ଟୁ-ଦି-ହୋମ୍ (ଏଫ୍ଟିଟିଏଚ୍) ଇଣ୍ଟରନେଟ୍କୁ ପହଞ୍ଚାଇବା ମଧ୍ୟ ସାମିଲ ରହିଛି । ଟେଲିକମ୍ ମାମଲାର ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ ସଂସ୍ଥା ଡିଜିଟାଲ୍ କମ୍ୟୁନିକେସନ୍ସ କମିଶନ (ଡିସିସି) ଏହି ଯୋଜନାକୁ ସ୍ପଷ୍ଟ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପାଖାପାଖି ୮୬୦୦ମୋଗାହର୍ଟଜର ମୋବାଇଲ୍ ଏୟାର୍ୱେଜ୍ର ନିଲାମୀ ସରକାର କରିବେ । ଏଥିରେ ଟେଲିକମ୍ ସର୍ଭିସେସ୍ର ମହଜୁଦ୍ ବ୍ୟବସ୍ଥା ପାଇଁ ସ୍ପେକ୍ଟ୍ରମ୍ ମଧ୍ୟ ସାମିଲ ହେବ । ଏହାବ୍ୟତୀତ ନୂଆ ୫ଜି ସର୍ଭିସେସ୍ର ସ୍ପେକ୍ଟ୍ରମ ମଧ୍ୟ ରହିବ । ଟେଲିକମ୍ ସେକ୍ରେଟାରୀ ଓ ଡିସିସିର ଅଧ୍ୟକ୍ଷ ଅରୁଣା ସୁନ୍ଦରରାଜନ୍ କହିଛନ୍ତି ଯେ ଯଦି ସମସ୍ତ ସ୍ପେକ୍ଟ୍ରମକୁ ରିଜର୍ଭ ମୂଲ୍ୟରେ ମଧ୍ୟ ବିକ୍ରି କରାଯାଇଥାଏ, ତେବେ ବି ସରକାରଙ୍କୁ ଅତିକମ୍ରେ ୫.୮ଲକ୍ଷ କୋଟି ଟଙ୍କାର ନେଟ୍ ମିଳିବ । ଏହି ସ୍ପେକ୍ଟ୍ରମ ନିଲାମରୁ ଅଧିକରୁ ଅଧିକ ରାଜସ୍ୱ ହାସଲ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ ବରଂ ଟେଲିକମ୍ ସେବା ଯେପରି ପୂର୍ବାପେକ୍ଷା ଅଧିକ ଉନ୍ନତ ହେବ ତାହା ସୁନିଶ୍ଚିତ କରିବା । ତେବେ ଚୀନ୍ କମ୍ପାନୀ ହୁୱାୱେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହାଁ । ତେବେ ଟେଷ୍ଟିଂ ଫେଜ୍ ପାଇଁ ରେଗୁଲାର୍ ଟେଲିକମ୍ ଅପରେଟର୍ସ (ରିଲାୟନ୍ସ ଜିଓ, ଭାରତୀ ଏୟାର୍ଟେଲ୍, ଭୋଡ଼ାଫୋନ୍-ଆଇଡ଼ିଆ) ସ୍ଥାନରେ ସ୍ପେକ୍ଟ୍ରମ ନିଲାମୀରେ ଏରିକ୍ସନ, ନୋକିଆ ଓ ସାମ୍ସଙ୍ଗ ପରି କମ୍ପାନୀଗୁଡ଼ିକ ମଧ୍ୟ ଅଂଶବିଶେଷ ହୋଇପାରିବ ।


