୫୦ ଫୁଟ ଉଚ୍ଚ ଗଛରେ ଘର କରିଛନ୍ତି ଆଦିବାସୀ ପରିବାର
କେତେକ ଅଞ୍ଚଳରେ ଲୋକେ ସଉକରେ ଗଛ ଉପରେ ମଞ୍ଚା ଘର କରିଥାନ୍ତି । ତାହା ସେମାନଙ୍କ ପାଇଁ ଏକ ପ୍ରକାର ଅବସର ବିନୋଦନ କାମରେ ଲାଗିଥାଏ । କିନ୍ତୁ ହାତୀମାନଙ୍କ ଉତ୍ପାତ ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ଏକ ଆଦିବାସୀ ପରିବାର ୫୦ ଫୁଟ ଉଚ୍ଚ ଗଛରେ ତିଆରି କରିଛନ୍ତି ଅସ୍ଥାୟୀ ଆଶ୍ରୟସ୍ଥଳୀ । ସେ ପରିବାରରେ ଅଛନ୍ତି ତିନୋଟି ପିଲା, ଜଣେ ୮୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୭୦ ବର୍ଷୀୟା ବୃଦ୍ଧା । ହାତୀଙ୍କ ଉତ୍ପାତରୁ ତ୍ରାହି ପାଇବାକୁ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ହାତୀ ପଲ ଥରକୁ ଥର ସେମାନଙ୍କ ଘର ଦ୍ୱାର ଭାଙ୍ଗି ଫସଲ ଉଜାଡ଼ି ଦେବାରୁ ସେମାନେ ବାଧ୍ୟ ହୋଇ ଗୋଟିଏ ବିଶାଳ ଗଛରେ ମଞ୍ଚା ବାନ୍ଧି ତା’ ଚାରିପଟେ ଛଣ ବିଡା ଘେରାଇ ରହୁଛନ୍ତି । କଷ୍ଟକର ବ୍ୟାପାର ହେଲେ ମଧ୍ୟ ପରିବାର ସମସ୍ତ ସଦସ୍ୟ ଗୋଟିଏ କାଠ ସିଡି ଚଢ଼ି ସନ୍ଧ୍ୟାରେ ଘରକୁ ଉଠୁଛନ୍ତି ଏବଂ ସକାଳେ ପୁଣି ଓହ୍ଲାଉଛନ୍ତି ।


