୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆସନ୍ତା କାଲି (ସୋମବାର)ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଅସୁସ୍ଥତା କାରଣରୁ ସେ ଓଡିଶା ଆସି ପାରିନଥିଲେ । ଆରୋଗ୍ୟ ଲାଭ କରି ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଓଡିଶା ଆସିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଭୂବନେଶ୍ୱର ପହଂଚିବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଧାସଳଖ ପୁରୀ ଗସ୍ତ କରିବେ । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଏହା ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ୭ ତାରିଖ ଦିନ ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ । ମନ୍ତ୍ରୀ ପଦ ଦାୟୀତ୍ୱ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ୱର, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ବାରିପଦା, ରାଇରଂଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଏବଂ ସାମାଜିକ ଅନୁଷ୍ଠାନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ