୭ ଘଣ୍ଟା କସରତ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅସୁସ୍ଥ ବୃଦ୍ଧ

ହିଞ୍ଜିଳି କାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି।ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ବହୁ ସୁସ୍ଥ ବ୍ୟକ୍ତି ହୋଇ ଘରକୁ ଫେରିଥିବା ସରକାରୀ ଭାବେ ସୂଚନା ମିଳିଛି। ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ୫୨୮୦ ପଜିଟିଭ କେଶ ଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯୫୦ ଓ ସୁସ୍ଥଙ୍କ ସଂଖ୍ୟା ୩୨୭୫ ଏବଂ ୫୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।ଜିଲ୍ଲାରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କୋଭିଡ ଯୋଦ୍ଧା ଥିବା ବେଳେ ସକ୍ରିୟ ସଂକ୍ରମିତ ୧୬୦ ଓ ସ୍ତାନୀୟ ଅଞ୍ଚଳର ୬ ଜଣ ଥିବା ସରକାରୀ ସୂଚନା ମିଳିଛି।ଜିଲ୍ଲାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।ଶନିବାର ସ୍ଥାନୀୟ ହିଞ୍ଜିଳି ବ୍ଳକ ଖଣ୍ଡରା ଗ୍ରାମରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବ୍ଳକ ପ୍ରଶାସନ ଜଣେ ଗୁରୁତର ଅସୁସ୍ଥଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ସ୍ଥାନୀୟ ସରପଞ୍ଚ ଙ୍କ ଅପାରଗତା ଯୋଗୁଁ ଦୀର୍ଘ ୭ ଘଣ୍ଟାର କସରତ ପରେ ବିଡ଼ିଓ ସୂଚନା ପାଇ ଥିଲେ ।ପରେ ୨ ଜଣ ଯୁବକଙ୍କ ସହାୟତାରେ ଅସୁସ୍ଥ ବୃଦ୍ଧଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ଜଣାପଡିଛି।ପ୍ରାପ୍ତ ସୂଚନା ପ୍ରକାରେ ଗ୍ରାମର ନୁଆଁ ବନ୍ଧ ସାହିର ବୃଦ୍ଧ ବାଞ୍ଛାନିଧି ସାହୁ ଗତ କିଛି ଦିନ ଧରି ଜ୍ୱର, ଥଣ୍ଡା ଓ କାଶରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ।ଶନିବାର ସେ ଗୁରୁତର ହୋଇଥିବା ଜାଣି ଗ୍ରାମବାସୀ ସ୍ଥାନୀୟ ବ୍ଳକପ୍ରଶାସନ ସହ ଯୋଗାଯୋଗ କରିଥିଲେ।ପରେ ଏକ ସ୍ୱାସ୍ଥ୍ୟ ଟିମ ଗାଁ ରେ ପହଞ୍ଚି ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ।ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ସମସ୍ତ ବ୍ୟବସ୍ଥା ଥିବା ବେଳେ ସେମାନେ କିନ୍ତୁ ଅନିଚ୍ଛା ପ୍ରକାଶ କରିଥିବା ଗ୍ରାମବାସୀ କହିଛନ୍ତି।ଦୀର୍ଘ ୭ ଘଣ୍ଟାର କସରତ ପରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ।ପରେ ବିଡ଼ିଓ ଙ୍କ ସହଯୋଗରେ ଉପାଧ୍ୟକ୍ଷା ପ୍ରତିନିଧି ଅଶୋକ କୁମାର ପଣ୍ଡାଙ୍କ ସହାୟତାରେ ସୁନୀଲ କୁମାର ପଣ୍ଡା ଓ ତାଙ୍କ ସହଯୋଗୀ ପିପିଇ କିଟ ପରିଧାନ କରି ବୃଦ୍ଧଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ସୂଚନାଯୋଗ୍ୟ କୋଭିଡ ପରିଚାଳନା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି।ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ସେମାନଙ୍କୁ ପ୍ରମୂଖ ଦାୟିତ୍ୱ ପ୍ରଦାନ କରାଯାଇ ଥିଲେ ମଧ୍ୟ ଘଟଣା ପରେ ସ୍ଥାନୀୟ ସରପଞ୍ଚଙ୍କ ଭୂମିକା ଓ ଦାୟିତ୍ୱ ପ୍ରତି ସାଧାରଣରେ ବିଭିନ୍ନ ଆଲୋଚନା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ