୭ ବର୍ଷ ପରେ ଚାଲିଲା ଅପସରା ସିନେମା ହଲ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଯୋଗେଶ୍ୱରପୁର ଠାରେ ସେହି ଗ୍ରାମର ଶିକ୍ଷକ ସ୍ଵର୍ଗତ କାଶୀନାଥ ପତି ୧୯୮୭ ମସିହାରେ ଅପସରା ନାମରେ ସିନେମା ହଲ ଟିଏ ପ୍ରତିଷ୍ଠା କରିଥିଲେ। ନୟାହାଟ ଓ ଏହାର ଆଖପାଖ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଏଠାରେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖି ମନୋରଞ୍ଜନ କରି ପାରୁଥିଲେ। ୨୦୧୭ ମସିହାରେ ଆର୍ଥିକ ଅନାଟନ କାରଣରୁ ଉକ୍ତ ସିନେମା ହଲଟି ଚାଲି ନ ପାରି ବନ୍ଦ ହୋଇଯାଇଥିଲା। ତାପରେ ମହାମାରୀ କରୋନା ପାଇଁ ସରକାର ସବୁ ସିନେମା ହଲ ବନ୍ଦ କରି ଦେଇଥିଲେ। ଏବେ ଦୀର୍ଘ ୭ ବର୍ଷ ପରେ ସ୍ବର୍ଗତ ପତିଙ୍କ ପୁଅ ବିଭୂତି ଭୂଷଣ ପତି ଗତ ଦଶହରା ପୁଜା ଠାରୁ ବନ୍ଦ ପଡ଼ିଥିବା ସିନେମା ହଲକୁ ଚାଲୁ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ସିନେମା ପ୍ରେମୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ସେ ଚେଷ୍ଠା କରି ନୟାହାଟ ଅଞ୍ଚଳର କଳା ପ୍ରେମୀଙ୍କୁ ମନୋରଞ୍ଜନ ଯୋଗାଇ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ବିଭୁତି ପ୍ରକାଶ କରିବା ସହିତ ନୂଆ ଓଡ଼ିଆ ଚଳଚ୍ଚିତ୍ର କର୍ମକୁ ଏଠାରେ ଦେଖିବାକୁ ମିଳୁଥିବାରୁ ସିନେମା ପ୍ରେମୀ ମାନେ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ସିନେମା ହଲ ମାଲିକଙ୍କ ପାଇଁ କିଛି ସାହାଯ୍ୟ ସହଯୋଗ ନାହିଁ। ଏଣୁ ଗ୍ରାମାଞ୍ଚଳର ହଲ ମାଲିକ ମାନେ ବହୁ କ୍ଷତିର ସମ୍ମୁଖୀନ ହୋଇ ଆଉ ସିନେମା ହଲ ଚଲାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଯଦି ବିଦ୍ୟୁତ ଶୁକ୍ଲରେ ରିହାତି, ସରକାର ପ୍ରଣୟନ କରିଥିବା ନିୟମରେ କୋହଳ, ଜି ଏସ ଟିରେ କିଛି ପରିମାଣରେ ରିହାତି ଦିଅନ୍ତି ତେବେ ଗ୍ରାମାଞ୍ଚଳର ସିନେମା ହଲ ଗୁଡ଼ିକ ଚାଲି ପାରନ୍ତା ବୋଲି ମତ ପ୍ରକାଶ ପାଉଛି। ତେବେ ଦୀର୍ଘ ୭ ବର୍ଷ ପରେ ନୟାହାଟ ଅଞ୍ଚଳରେ ସିନେମା ହଲ ପୁଣି ଥରେ ଚାଲିବାରୁ ଜନ ସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ