୮କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର ସମେତ ଟାଟାଏସି, ଅଟୋ ଓ ୨ ବାଇକ୍ ଜବତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୩୩କେଭି ବିଦ୍ୟୁତ୍ ସଂଯୋଗୀକରଣ ସକାଶେ ବ୍ୟବହୃତ ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିଲେ ଲୁଟେରା ଦଳ । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ ଲୁଟେରା ଦଳ । ଏଭଳି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମରେ ଦେଖିବାକୁ ମିଳିଛି । ପୁଲିସକୁ ଦେଖି ଲୁଟେରା ମାନେ ଚୋରୀ କରିଥିବା ଆଲୁମିନିୟମ ବିଦ୍ୟୁତ ତାର ଗ୍ରାମ ଫୋଖରୀକୁ ଫୋପାଡି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି । ୨ ଜଣ ଲୁଟେରାଙ୍କୁ ପୁଲିସ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୮କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଆଲୁମିନିୟମ ବିଦ୍ୟୁତ ତାର ଜବତ କରିବା ସହ ଚୋରୀ ପାଇଁ ବ୍ୟବହୃତ ଗୋଟିଏ ଟାଟାଏସି ଗାଡି, ଏକ ଯାତ୍ରୀବାହୀ ଅଟୋ ସହ ୨ଟି ମୋଟର ସାଇକେଲକୁ ଜବତ କରିଛି । କାବୁ କରିଥିବା ୨ ଲୁଟେରାଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କରୁଛି । ଘଟଣାରେ ଆହୁରି ୪/୫ ଜଣ ଲୁଟେରା ସଂପୃକ୍ତି ଥିବା ପୁଲିସ କହିଛି । ତେବେ ତଦନ୍ତରେ ବାଧା ଉପୁଜିବା ନେଇ ଅଟକ ଲୁଟେରାଙ୍କ ନାମ ପ୍ରକାଶ କରିନାହିଁ ।
ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶାସନଆମ୍ବଗାଁ ରାସ୍ତା ଦେଇ କିଛି ଯୁବକ ୨ଟି ବାଇକରେ କ୍ଷିପ୍ର ଗତିରେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ ଟାଟାଏସି ଓ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା । ବିଳମ୍ବିତ ରାତିରେ ଗ୍ରାମ ରାସ୍ତା ଦେଇ ଗାଡି ଗୁଡିକୁ କ୍ଷିପ୍ର ଗତିରେ ଯାଉଥିବାରୁ ଗ୍ରାମର କିଛି ଲୋକଙ୍କ ସନ୍ଦେହ ହୋଇଥିଲା । ଗ୍ରାମର କିଛିଲୋକେ ଅଟୋର ପିଛା କରୁଥିବା ବେଳେ ଅଟୋରେ ଆଲୁମିନିୟମ ବିଦ୍ୟୁତ ତାର ରହିଥିବା ଦେଖିବାକୁ ପାଇଥିଲେ । ଗତ କିଛି ଦିନ ପୂର୍ବେ ଶାସନଆମ୍ବଗାଁ ପଞ୍ଚାୟତ ନିମିଗାଁ ଦେଇ ପ୍ରବାହିତ ୩୩ କେଭି ବିଦ୍ୟୁତ୍ ସଂଯୋଗ ସକାଶେ ବିଛାଯାଇଥିବା ଚୋରୀ ହୋଇଥିବାରୁ ସଂପୃକ୍ତ ଲୋକମାନେ ସନ୍ଦେହ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ପୁଲିସ ଗାଡିକୁ ଦେଖି ଲୁଟେରା ମାନେ ଚୋରୀ କରିଥିବା ଆଲୁମିନିୟମ ବିଦ୍ୟୁତ ତାର ବଣ୍ଡଲ ଗୁଡିକୁ ଗ୍ରାମ ନିକଟସ୍ଥ ନିମେଶ୍ୱର ପୋଖରୀକୁ ଫୋପାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ପୁଲିସ ଘଟଣା ସ୍ଥଳରୁ ୨ ଜଣ ଲୁଟେରାଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଲୁଟେରା ଫେରାର ହେବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ପୁଲିସ ପୋଖରୀ ପାଣିରୁ ୪ ବ୍ୟାଣ୍ଡେଲ ଆଲୁମିନିୟମ ବିଦ୍ୟୁତ ତାର ଉଦ୍ଧାର କରି ଜବତ କରିଛି । ଜବତ ଆଲୁମିନିୟମ ବିଦ୍ୟୁତ ତାର ୮ କୁଇଣ୍ଟାଲରୁ ଅଧିକ ହେବ ବୋଲି ପୁଲିସ କହିଛି । ତେବେ କାବୁ ହୋଇଥିବା ୨ ଲୁଟେରା ଗତ ପ୍ରାୟ ୧ବର୍ଷ ଧରି ହିଞ୍ଜିଳି ସମେତ ଗୋଳନ୍ଥରା, ଦିଗପହଣ୍ଡି ଓ ବ୍ରହ୍ମପୁର ସଦର ଥାନା ଇଲାକାର ବିଭିନ୍ନ ଅଞ୍ଚଳରୁ ୩୩କେଭି ବିଦ୍ୟୁତ୍ ସଂଯୋଗ ସକାଶେ ବିଛାଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରିଥିବା ସ୍ୱୀକାର କରିଥିବା ନେଇ ପୁଲିସ କହିଛି । ଗୋଳନ୍ଥରା, ଦିଗପହଣ୍ଡି ଓ ବ୍ରହ୍ମପୁର ସଦର ଥାନ ସହ ହିଞ୍ଜିଳି ପୁଲିସ ଯୋଗାଯୋଗ କରୁଛି । ଆଗରମୀ ଦିନରେ ଘଟଣାରେ ସଂପୃକ୍ତି ଥିବା ସମସ୍ତଙ୍କୁ ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।