୮୦ କରୋନା ଯୋଦ୍ଧା ସୁସ୍ଥ ହେଲେ
ଛତ୍ରପୁର, (ଓ୍ବାଇଏନ୍ଏସ୍):ବ୍ରହ୍ମପୁର ସହର ସମେତ ୨୩ଟି ସହରରେ ଚାଲିଥିବା ୫ ଦିନିଆ ସଟ୍ ଡାଉନ୍ ଆଜି ସମାପ୍ତ ହେବ । ଆସନ୍ତାକାଲି ଠାରୁ ପୁଣି ଥରେ ଲକ୍ ଡାଉନ୍ ଲାଗୁ ହେବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ସୂଚନା ପ୍ରଦାନ କରିଛନ୍ତି । ଏସବୁ ଭିତରେ କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ୯୦ ପୁଲିସ କର୍ମଚାରୀ ଓ ଅଧିିକାରୀଙ୍କ ଭିତରୁ ୮୦ଜଣ ସୁସ୍ଥ ହୋଇ ସାରିଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଗଞ୍ଜାମ ବାସିନ୍ଦାଙ୍କୁ ସେ ପୁଣି ଥରେ ଅନୁରୋଧ କରି ଜଣାଇଛନ୍ତି ଯେ ନିହାତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିବା ପାଇଁ । ପ୍ରତି ଛକରେ ପୁଲିସକୁ ମୁତୟନ କରାଯାଇଛି, ବିନା ଅନୁମତିରେ ଓ ଗୁରୁତର ମେଡ଼ିକାଲ କାର୍ଯ୍ୟ ନଥିଲେ ଯଦି କିଏ ବାହାରକୁ ବାହାରନ୍ତି ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାଗ୍ରହ କରାଯିବ ବୋଲି ସୂଚାଇ ଦେଇଛନ୍ତି । ସେହିପରି ବିବାହ, ବ୍ରତଘର ପରି ସାମାଜିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତିବିଶେଷ ଅନୁମତି ନେଇ ସମସ୍ତ ଗାଇଡ୍ ଲାଇନ୍ ପାଳନ ସହ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ପୂର୍ବ ପରି ଗଞ୍ଜାମ, ଖୋର୍ଦ୍ଧା ସୀମାରେ କଟକଣା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।


