‌ଶ୍ରାବଣ ମାସ ପ୍ରଥମ ସୋମବାର: ଶୈବପୀଠ ଖାଁ ଖାଁ

ଭୁବନେଶ୍ବର : ଶ୍ରାବଣ ମାସ ସୋମବାର ଆସିଲେ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆମାନଙ୍କ ଭିଡ଼ ଲାଗେ। ହେଲେ ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରତ୍ୟେକ ଶୈବପୀଠ ଖାଁ ଖାଁ ଦେଖିବାକୁ ମିଳିଛି। ପୁରୀର ଲୋକନାଥ, ଭୁବନେଶ୍ବରର ଲିଙ୍ଗରାଜ, କଟକର ଗଡ଼ଗଡ଼େଶ୍ବର ପୀଠ, ଧବଳେଶ୍ବର, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ବାଲେଶ୍ବରର ଝାଡ଼େଶ୍ବର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆଜି ଖାଁ ଖାଁ। ବୋଲ୍‌ବମ୍‌ ଭକ୍ତ (କାଉଡ଼ିଆ)ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବେ ନାହିଁ ବୋଲିରାଜ୍ୟ ସରକାର ବୋଲବମ୍‌ ଯାତ୍ରା ଉପରେ ରୋକ୍ ଲଗାଇଥିବାରୁ ଏବଂ କରୋନା ପାଇଁ ଧାର୍ମିକ କାର୍ଯ୍ୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏପରି ସ୍ଥିତି ଉପୁଜିଛି। ସୂଚନାଯୋଗ୍ୟ, ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ‌ଦେଇ କହିଥିଲେ ଯେ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ସାମାଜିକ, ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ଶ୍ରାବଣ ମାସରେ ରାଜ୍ୟର କିଛି ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଶିବ ମନ୍ଦିର ଯା’ନ୍ତି। ସାଧାରଣତଃ ଶନିବାର, ରବିବାର ସେମାନେ ପାଣି ଉଠାନ୍ତି ଓ ସୋମବାର ଶିବ ମନ୍ଦିରରେ ପାଣି ଢାଳନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ତେଣୁ ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ