କରୋନା ଭାଇରସ୍ ବାୟୁବାହିତ !
ନ୍ୟୁୟର୍କ: ବହୁ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା ଭାଇରସ୍ ବାୟୁବାହିତ। ଏନେଇ ପ୍ରମାଣ ପାଇଥିବା ବୈଜ୍ଞାନିକମାନେ କହିଛନ୍ତି। ସେମାନେ କହିବ ୟା କଥା ହେଲା, ବାୟୁ ଦ୍ବାରା ବାହିତ ହୋଇ ନଭେଲ୍ କରୋନାଭାଇରସର ସୂକ୍ଷ୍ମ କଣିକା ଲୋକମାନଙ୍କୁ ସଂକ୍ରମିତ କରୁଛି। ତେଣୁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସ୍ ସଂକ୍ରମଣ ମଧ୍ୟମ ବିଷୟରେ କରିଥିବା ଅନୁମୋଦନ ସଂଶୋଧନ କରିବା ଉଚିତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏହି ରୋଗ ସଂକ୍ରମଣ ମୁଖ୍ୟତଃ ନାକ କିଂବା ପାଟିରୁ ବାହାରୁ ଥିବା ଅତି ସୂକ୍ଷ୍ମ ଜଳକଣା ଦ୍ବାରା ଜଣେ ଲୋକ ଠାରୁ ଅନ୍ୟ ଜଣେ ଲୋକ ଶରୀରରେ ପ୍ରବେଶ କରୁଛି। ଏହି ସୂକ୍ଷ୍ମ ଜଳକଣା କାଶ, ଛିଙ୍କ ବା କଥାବାର୍ତ୍ତା ଦ୍ବାରା ଦେହରୁ ବାହାରକୁ ଆସିଥାଏ। ଏକ ଖୋଲା ଚିଠିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଏ ପ୍ରସଙ୍ଗରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାଭାଇରସ୍ ସଂକ୍ରମଣର ମାଧ୍ୟମ ଉପରେ ଗବେଷଣା କରି ପ୍ରସ୍ତୁତ କରିଥିବା ଏହି ଆଲେଖ୍ୟ ଆସନ୍ତା ସପ୍ତାହରେ କୌଣସି ଏକ ବୈଜ୍ଞାନିକ ଜର୍ଣ୍ଣାଲ୍ରେ ପ୍ରକାଶ ପାଇବ। କେହି ଜଣେ କରୋନା ଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା ପରେ ବାହାରୁ ଥିବା ବଡ଼ ଆକାର ବା ଛୋଟ ଆକାର ଜଳକଣା ବାୟୁରେ ଉଡ଼ି ବୁଲେ ଏବଂ ଲୋକେ ସେ ବାୟୁ ନିଃଶ୍ବାସରେ ଗ୍ରହଣ କରି ସଂକ୍ରମିତ ହୁଏ ବୋଲି ସମ୍ପୃକ୍ତ ବୈଜ୍ଞାନିକମାନେ କହିଛନ୍ତି। କିନ୍ତୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ହଠାତ୍ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କିନ୍ତୁ, ‘ଦ ନ୍ୟୁୟର୍କ ଟାଇମ୍ସ୍’କୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ଏହି ଭୂତାଣୁ ବାୟୁ ବାହିତ ବୋଲି ଦାବି କରାଯାଉଥିବା ପ୍ରମାଣ ସେତେଟା ସ୍ପଷ୍ଟ ନୁହେଁ।


