ଜୟନ୍ତୀ ପଟ୍ଟନାୟକ ଜଣେ ଅତ୍ୟନ୍ତ ସ୍ନେହଶୀଳ ମହିଳା ଥିଲେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶିଷ୍ଟ ନାରୀନେତ୍ରୀ, ନିଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ପୂର୍ବତନ ରାଜ୍ୟସଭା ଓ ଲୋକସଭା ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟ ପୂଜା ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀଙ୍କ ପୌରହିତ୍ୟରେ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଆଜ୍ଞାବଚନରେ କହିଲେ ଯେ, ମୃତ୍ୟୁ ଚିରନ୍ତନ ସତ୍ୟ ହୋଇଥିଲେ ମଧ୍ୟ ଆମ ଶାସ୍ତ୍ର କୁହେ କିର୍ତ୍ତୀମାନ ମଣିଷ ମାନଙ୍କର ମୃତ୍ୟୁ ହୁଏନାହିଁ । ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଏକ ସଂସ୍କାରୀ ପରିବାରରୁ ଆସିଥିଲେ । ଏଣୁ କୁସଂସ୍କାର ବିରୁଦ୍ଧରେ ସେ ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରଖିଥିଲେ । ବିଜେପି ଦଳ ତରଫରୁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ସଜ୍ଜନ ଶର୍ମା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଜୟନ୍ତୀ ଦେବୀ ସ୍ନେହର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ଶ୍ରଦ୍ଧା ଓ ସ୍ନେହରେ ସେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । କଂଗ୍ରେସ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଲେ ଯେ, ତାଙ୍କ ପାଖରେ ତିନୋଟି ବିଷୟ ମୁଁ ଲକ୍ଷ୍ୟ କରିଛି । କାର୍ଯ୍ୟରେ ଦୃଢତା, ସଂକଳ୍ପ ଓ ନିଷ୍ଠା । ସେ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ସଫଳ ନହେବା ପର୍ଯ୍ୟନ୍ତ, କାର୍ଯ୍ୟରୁ ବିଚ୍ୟୁତ ହେଉନଥିଲେ । ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, କମ୍ୟୁନିଷ୍ଟ ନେତା ଅଭୟ ସାହୁ କହିଲେ ଯେ, ସମସ୍ତ ରାଜନୈତିକ ବ୍ୟସ୍ତତା ମଧ୍ୟରେ ସେ ଦୈନିକ ସାହିତ୍ୟ ସାଧନାରୁ କେବେ ଓହରି ଯାଇନଥିଲେ । ସମାଜବାଦୀ ନେତା ରବି ବେହେରା, ଆପ ଦଳ ନେତା ନିଶିକାନ୍ତ ମହାପାତ୍ର ଜୟନ୍ତୀ ଦେବୀଙ୍କୁ କେବଳ ରାଜନୈତିକ ବ୍ୟକ୍ତିତ୍ୱ କହିଦେଲେ ହେବ ନାହିଁ, ଏକାଧାରାରେ ସେ ଜଣେ ଅନୁବାଦିକା, କବି, ସଂସ୍କାରକ ଓ ସୁଗୃହିଣୀ ଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ସିପିଆଇ (ଏମ୍‌.ଏଲ) ପକ୍ଷରୁ ମହେନ୍ଦ୍ର ପରିଡ଼ା, ରାଷ୍ଟ୍ରବାଦୀ କଂଗ୍ରେସ ପକ୍ଷରୁ ବିକ୍ରମ କୁମାର ସ୍ୱାଇଁ, ଗାନ୍ଧୀବାଦୀ ଜୟନ୍ତ ଦାସ, ବରିଷ୍ଠ ଓକିଲ ବିଜୟ ଦାସ, ପ୍ରଫେସର ବୁଦ୍ଧଦେବ ମିଶ୍ର, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ଜୟନ୍ତୀ ଦେବୀଙ୍କର ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ । ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ୱାଗତ ଭାଷଣ ଓ ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସମାଜସେବୀ ନିବେଦିତା ଭଞ୍ଜ ବେଦପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ