ଛତ୍ରପୁର ବ୍ଲକର ୬ ପଞ୍ଚାୟତ ଜଳବନ୍ଦି

ଛତ୍ରପୁର (ଓ୍ବାଇଏନଏସ): ଲଘୁଚାପଜନିତ ପ୍ରବଳ ବର୍ଷା ପରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ଛତ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ଲକର ୬ଟି ପଞ୍ଚାୟତ ଜଳବନ୍ଦି ଅବସ୍ଥାରେ ଥିବାବେଳେ ବହୁ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳବନ୍ଦି ଅଞ୍ଚଳରେ ଓଡ୍ରାଫ୍‌ ବୋଟ୍‌ ଯୋଗେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ପହଞ୍ଚାଇ ବଣ୍ଟନ କରାଯାଉଛି। ପୋଟଲାମପୁର, ମହାନାଦପୁର, ବଉଳଗାଁ ଓ ବଡ଼ମାଧପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ବୋଟ୍‌ ଯୋଗେ ଚାଉଳ, ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଯାଉଛି। ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜେ ଓଡ୍ରାଫ୍‌ ବୋଟ୍‌ରେ ଜଳବନ୍ଦି ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ତାଙ୍କ ସହ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ରଙ୍କ ସମେତ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କ ପାଇଁ ବିଭିନ୍ନ ସ୍ଥାନରେ ରୋଷେଇ ବ୍ୟବସ୍ଥା କରାଯାଇଛି। ଏଥିସହ ପନିପରିବା, ରାସନ ସାମଗ୍ରୀ, ଚାଉଳ ଆଦି ରିଲିଫ୍ ଆକାରରେ ପ୍ରଦାନ କରାଯାଉଛି। ଜଳବନ୍ଦି ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଆହୁରି ରିଲିଫ୍ ସାମଗ୍ରୀ ପହଞ୍ଚାଇବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିବା ବିଡିଓ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ