ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ): ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ ଛତ୍ରପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପୋଟଲାମପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଳସ୍ତର ଲଗାତାର ବଢୁଥିବା ବେଳେ ବନ୍ୟାଜଳ ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହି ପରିସ୍ଥିତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପୋଟଲାମପୁର ପଞ୍ଚାୟତର ଗଙ୍ଗାପୁରଠାରୁ ବଡ଼ମାଧପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ବନ୍ୟାଜଳରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ରାସ୍ତାର ପ୍ରକୃତ ସ୍ଥିତି ଜଣାପଡ଼ୁନାହିଁ। ତେଣୁ ଏହି ରାସ୍ତାରେ ଯାତାୟାତ ନକରିବା ସହ ସତର୍କ ରହିବାକୁ ବିଧାୟକ ଲୋକଙ୍କୁ ଅନୁରୋଧ କରିଛନ୍ତି। ବିଧାୟକ ଜଳମଗ୍ନ ଅଞ୍ଚଳରେ ପାଣି ମଧ୍ୟରେ ଯାଇ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ବିପଦ ସମୟରେ ଜନସାଧାରଣଙ୍କ ସହ ଠିଆ ହୋଇ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ। ଏହାସହ ବଡ଼ମାଧପୁର ଓ ପୋଟଲାମପୁରର ଜଳମଗ୍ନ ଗ୍ରାମଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ଥିବା ବେଳେ ବିଧାୟକ ଓଡ୍ରାଫ୍ ଟିମ୍ ସହ ମିଶି ପ୍ରଭାବିତ ଲୋକଙ୍କ ନିକଟରେ ଖାଦ୍ୟ ସାମଗ୍ରୀ, ମହମବତୀ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଥିଲେ। ଏଥିସହ ଲୋକଙ୍କ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରି ଆବଶ୍ୟକ ସହାୟତା ଯୋଗାଣ ନେଇ ପଦକ୍ଷେପ ନେଇଥିଲେ। ସେହିପରି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଓ ହୁମର ଅଞ୍ଚଳରେ ମଧ୍ୟ ବନ୍ୟାଜଳ ସ୍ଥିତି ବିଧାୟକ ପରଖିଥିଲେ। ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ସହାୟତା ଯୋଗାଣ ନେଇ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ବନ୍ୟାପୀଡ଼ିତଙ୍କ ସହାୟତା ପାଇଁ ବିଧାୟକଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ପ୍ରାୟ ୨୦ ହଜାର ଲୋକଙ୍କ ନିମନ୍ତେ ରନ୍ଧାଖାଦ୍ୟ ପ୍ରସ୍ତୁତିର ବ୍ୟବସ୍ଥା କରାଯାଉଛି। ସଙ୍କଟ ସମୟରେ ଲୋକଙ୍କ ନିକଟରେ ରହି ଆବଶ୍ୟକ ସହାୟତା ଯୋଗାଇବା ସହ ଦିନରାତି ସେବା କାର୍ଯ୍ୟ ଜାରି ରହିଛି। ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ଗାଁ ଏବେ ମଧ୍ୟ ଜଳମଗ୍ନ ରହିଥିବା ବେଳେ ବିଧାୟକ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଓ ଆବଶ୍ୟକ ସେବା ଯୋଗାଇବା ନେଇ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଜାରି ରହିଛି।


