ଦିବଂଗତ ସାମ୍ବାଦିକ ରବି ନାରାୟଣ ମହାନ୍ତିଙ୍କ ତ୍ରୟୋଦଶତମ ଶ୍ରାଦ୍ଧଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁସ୍ଥ ସମାଜ ଗଠନରେ ସାମାଜିକ ଗଣମାଧ୍ୟମର ଗୁରୁଦାୟିିତ୍ୱ ରହିଛି ବୋଲି ଦିବଂଗତ ବିଶିଷ୍ଟ ସାମ୍ବାଦିକ ରବିନାରାୟଣ ମହାନ୍ତିଙ୍କର ତ୍ରୟୋଦଶତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବକ୍ତା ମତପ୍ରକାଶ କରିଛନ୍ତି ।ଦୈନିକ ନ୍ୟାୟବତୀ ଓ ‘ଏ.ଏମ୍‌.ଆଇ.ଟି’ ମହାବିଦ୍ୟାଳୟର ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ସ୍ମୃତି ସମାରୋହରେ ‘ସାମାଜିକ ଗଣମାଧ୍ୟମର ଉତ୍ତରଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ରାଜ୍ୟର ବିଶିଷ୍ଟ ଗାନ୍ଧିବିଚାରର ପ୍ରବକ୍ତା ତଥା ବରିଷ୍ଠ ସାମ୍ବାଦିକ ପ୍ରହ୍ଲାଦ କୁମାର ସିଂହ ନିଜ ବକ୍ତବ୍ୟରେ କହିଥିଲେ ଯେ, ରବି ବାବୁ ସାମ୍ବାଦିକ ମାନଙ୍କର ହାତ ଧରି ଲେଖିବାକୁ ଶିଖାଇଥିଲେ । ଏବେ ସାମାଜିକ ଗଣମାଧ୍ୟମର କୁତ୍ସା ପ୍ରଚାରକୁ ଅଧିକ ସମର୍ଥନ ମିଳୁଥିବା ଯୋଗୁ ସମାଜରେ ବିଶୃଙ୍ଖଳା ବଢୁଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲାବେଳେ ଶାଳୀନତାସମ୍ପନ୍ନ ଓ ସତ୍ୟ ତଥ୍ୟର ଅବତାରଣା ହେବା ଉଚିତ । ସମ୍ମାନିତ ବକ୍ତା ଭାବେ ଦୂରଦର୍ଶନର ପୂର୍ବତନ ବାର୍ତ୍ତା ସମ୍ପାଦକ ଗୋପାଳ ମହାପାତ୍ର ବିଶ୍ୱର ୭୦୦ କୋଟି ଜନଗଣଙ୍କ ମଧ୍ୟରେ ୪୫୦ କୋଟି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଯଥାରେ ବ୍ୟବହାର କରୁଛନ୍ତି । ସାମାଜିକ ଗଣମାଧ୍ୟମର ବ୍ୟବହାର ସକରାତ୍ମକ ଭାବେ କରାଯିବା ଉଚିତ୍ । ଅନ୍ୟତମ ଅତିଥି ଭାବେ ଦୂରଦର୍ଶନର ପ୍ରାକ୍ତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା କହିଥିଲେ ଯେ, ସମ୍ପ୍ରତି ଚହଳ ସୃଷ୍ଟିକାରୀ ସମ୍ବାଦ ପରିବେଷଣ ପରିବର୍ତ୍ତେ କୌଣସି ବିଷୟକୁ ବୈଜ୍ଞାନିକ ଓ ଅନୁସନ୍ଧିତ୍ସା ମନୋଭାବ ନେଇ ଖବର ପରିବେଷଣ କରାଗଲେ ତାହା ବେଶ୍ ଜନକଲ୍ୟାଣକାରୀ ହୋଇପାରିବ । ଅମିତ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ଦୈନିକ ନ୍ୟାୟବତୀର ସମ୍ପାଦକ ଅଧୀପ ନାରାୟଣ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ, ସାମାଜିକ ଗଣମାଧ୍ୟମ ଏବେ ରୋଜଗାରର ମାଧ୍ୟମ ହୋଇପାରିଛି । ତଥାପି ଏହାର ପୋଷ୍ଟଗୁଡ଼ିକ ସତ୍ୟ ଓ ତଥ୍ୟ ଆଧାରିତ ହୋଇ ଉତ୍ତରଦାୟିତ୍ୱ ସମ୍ପନ୍ନ ହେବା ଉଚିତ । ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରାଜ୍ୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ଓ ସମ୍ପାଦକ ସନତ ମିଶ୍ର, ରବି ବାବୁଙ୍କର ସ୍ମୃତିଚାରଣ କରି କହିଥିଲେ ଯେ, ସେ ରାଜ୍ୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରତିଷ୍ଠାତା ଥିଲେ ଓ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଅନ୍ୟତମ ପ୍ରତିଷ୍ଠାତା ଥିଲେ । ତତ୍କାଳୀନ ଯୁବ ସାମ୍ବାଦିକମାନଙ୍କର ସେ ଗୁରୁ ଭାବେ ପରିଚିତ ଥିଲେ । ବିଶେଷ ବକ୍ତା ଭାବେ ‘ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ’ର ସଭାପତି ଭାଗବତ ତ୍ରିପାଠୀ, ନ୍ୟାୟବତୀ ସମ୍ବାଦପତ୍ରର ବାର୍ତ୍ତା ସମ୍ପାଦକ ଗୋପୀନାଥ ପରିଡ଼ା ଓ ରାଜ୍ୟ ସ୍ମୃତି କମିଟି ତରଫରୁ ସୁଦୀପ ନାରାୟଣ ମହାନ୍ତି ପ୍ରଭୃତି ଯୋଗ ଦେଇ ଉପସ୍ଥିତ ଥିବା ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ରବିବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ