ସଂସ୍କୃତିର ସୁରକ୍ଷା ଦାୟିତ୍ୱ ଆମର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାଭାରତୀୟ ସଂସ୍କୃତି ବିବିଧତା ମଧ୍ୟରେ ଏକତ୍ୱର ଦୃଷ୍ଟିଭଙ୍ଗୀକୁ ନେଇ ବିଶ୍ୱକୁ ଦେଇଛି ଅଭିନବ ପରିଚିତି । ବହୁ ଚିନ୍ତା, ବହୁ ବିଶ୍ୱାସ ଏବଂ ବହୁ ଆଚରଣର ସମନ୍ୱୟ ଭିତରେ ଭାରତୀୟ ସଂସ୍କୃତିର ମହାନତାକୁ ଅନୁଭବ କରିହୁଏ । ନୈତିକ ସଂହତି ଓ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ; ଭାରତୀୟ ବ୍ୟକ୍ତିମାନସରେ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆକାଂକ୍ଷା ଭିତରେ ସମନ୍ୱୟ ରକ୍ଷା କରିଥାଏ । ଇତିହାସକୁ ଲକ୍ଷ୍ୟକଲେ ଦେଖାଯାଏ ଯେ, ଭାରତୀୟ ଜୀବନଧାରା ପ୍ରାଣସତ୍ତାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ । ମାନବକୁ ମାଧବରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନ୍ଧାରରୁ ଆଲୋକ ଦିଗକୁ ଯାତ୍ରା ଥାଏ ଜୀବନର ଲକ୍ଷ୍ୟ । ତେଣୁ ସଂଭ୍ରାନ୍ତ ବଣିକ କିମ୍ବା ପ୍ରତାପୀ ରାଜା ମହାରାଜା ଅପେକ୍ଷା ଏଇ ସଂସ୍କୃତିର ମୂଳ ଆଧାର ମୁନି ଋଷିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଲକ୍ଷ୍ୟ କରିହୁଏ । ପ୍ରକୃତପକ୍ଷେ କହିବାକୁ ଗଲେ ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଲୋକର ସନ୍ଧାନ । ଏହା କୌଣସି ଧର୍ମର ପ୍ରଚାର କରେନାହିଁ । ଭାରତୀୟତା ହେଉଛି ଏହାର ମୂଳମନ୍ତ୍ର । ଜୀବନକୁ ଶୃଙ୍ଖଳିତ କରି ଏକ ମହତ୍ତର ପଥରେ ଅବସ୍ଥାପିତ କରିବା ଏଠାରେ ବେଶ୍ ଲକ୍ଷଣୀୟ । କାରଣ ବିଶ୍ୱକଲ୍ୟାଣ ହିଁ ହେଉଛି ଏହାର ମୂଳମନ୍ତ୍ର । ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ସତ୍ୟରେ ଏ ସଂସ୍କୃତି ବିଶ୍ୱାସ ରଖେ । ଆଜି କିନ୍ତୁ ସମୟର ବିକାଶ ଧାରାରେ ବଦଳି ଯାଇଛି ଦୃଷ୍ଟିଭଙ୍ଗୀ । ଗତାନୁଗତିକ ଧାରାରୁ ନିଜକୁ ମୁକୁଳାଇ ଏକ ନୂଆଧାରାରେ ଆପଣାକୁ ପ୍ରକାଶ କରିବା ନିମନ୍ତେ ଚାଲିଛି ପ୍ରଚେଷ୍ଟା । ଅବଶ୍ୟ ଏହାରି ଅନ୍ତରାଳରେ ମାନବର ବୌଦ୍ଧିକ ସଫଳତାକୁ ସ୍ୱୀକାର କରାଯାଇପାରେ । ଏପରିକି ପ୍ରବୃତ୍ତି ଦୃଷ୍ଟିରୁ ମଧ୍ୟ ରୂପାନ୍ତରଣ ପ୍ରକ୍ରିୟା ହେଉଛି ମାନବର ସହଜାତ । ତେଣୁ ମାନବ ସଦାସର୍ବଦା ରୂପାନ୍ତରିତ ହେବା ନିମନ୍ତେ ଉଦ୍ୟମ କରିଆସିଛି । କିନ୍ତୁ ଏ ରୂପାନ୍ତରଣ ସଂସ୍କୃତି ସହ ନିବିଡ଼ ସଂପୃକ୍ତି ମଧ୍ୟ ଦେଇ ହେବା ଆବଶ୍ୟକ । କାରଣ ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ସଂସ୍କୃତି କୁହାଯାଏ । ତେଣୁ ତ ସଂସ୍କୃତିର ପ୍ରତିକୂଳ ନୁହେଁ ବରଂ ସଂସ୍କୃତିର ସମ୍ମୋହନ ଆକର୍ଷଣ ପ୍ରଗତିର ପଥକୁ ପ୍ରସାରିତ କରିଥାଏ । କାରଣ ଆଜିର ମାନବ ହେଉଛି ଆତ୍ମସଚେତନ , ସମୟ ସଚେତନ ତଥା ଐତିହ୍ୟ ସଚେତନ । ତା’ପାଇଁ ପରମ୍ପରା ଓ ସଂସ୍କୃତି; ଅତୀତ ପ୍ରତି ଏକ ବିହ୍ୱଳ ସଂପୃକ୍ତି କେବଳ ନୁହେଁ । ଏହା ହେଉଛି ମାନବ ଜୀବନର ସାରତତ୍ତ୍ୱ । ତେଣୁ ତ ସମସ୍ତ ପ୍ରକାର ପରିବର୍ତ୍ତନ ଓ ପ୍ରଗତି ସତ୍ତ୍ୱେ ପରମ୍ପରାର ଅନୁରଣନ ସମସ୍ତ ପ୍ରକାର ପ୍ରଗତି ଅନ୍ତରାଳରେ ସୁସ୍ପଷ୍ଟ ।
ବାସ୍ତବିକ କହିବାକୁ ଗଲେ ସଂସ୍କୃତି ରୂପକ ଏକ ସାମୂହିକ ଚେତନାକୁ ସ୍ୱୀକାର କରି ଅନାୟାସରେ କାଳାତିପାତ କରୁଥିଲା ମାନବ । ଆଜି କିନ୍ତୁ ସମୟର ଧାରାରେ ମାନବ ଏପରି ଏକ ଉପତ୍ୟକାର ଅଧିବାସୀ ସାଜିଛି; ଯେଉଁଠାରେ ଆପଣାର ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେ ଦୁଃଖ ଓ ଦୁର୍ବିପାକର ଅଂଶୀଦାର ହେବା ପାଇଁ ବାଧ୍ୟ । ଆଜି କେଉଁଠାରେ ପରମାଣୁ ପରୀକ୍ଷଣ ଘଟିଲେ ବଦଳିଯାଏ, ସମଗ୍ର ବିଶ୍ୱର ଜଳବାୟୁ । କେଉଁଠାରେ ଯୁଦ୍ଧର ଆୟୋଜନ ହେଲେ ଛାତିରେ ପଶେ ଛନ୍‌କା । ଆଜି ସମଗ୍ର ବିଶ୍ୱ ଏପରି ଏକ ସୂତ୍ରରେ ବନ୍ଧା ଯାହା କ୍ଷଣିକ ମଧ୍ୟରେ ସର୍ବତ୍ର ଆଣିପାରେ ପରିବର୍ତ୍ତନ । ବିଶ୍ୱକୁ ଧ୍ୱଂସ କରିବାର ସାମର୍ଥ୍ୟ ନେଇ ଆମେ ଭସ୍ମାସୁରରେ ରୂପାନ୍ତରିତ ହୋଇସାରିଲେଣି । ତେଣୁ ତ ଆମ ସ୍ୱପ୍ନରେ- ସମ୍ଭାବନାରେ- ସାମର୍ଥ୍ୟରେ; ବିପର୍ଯ୍ୟୟ ଭଳି ଏକ ସତ୍ୟକୁ ଅଣଦେଖା କରିହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ