ନିଧିପଣ୍ଡା ଠାରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ମଞ୍ଜୁର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ବହୁ ପ୍ରତୀକ୍ଷିତ ନିଧିପଣ୍ଡା ଠାରେ ଉପମାର୍ଗ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ୧୪.୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗତ ଜୁନ ୨୧ ତାରିଖ ସଦର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଥାନୀୟ ଲୋକଙ୍କ ଦାବୀକୁ ସମ୍ମାନ ଜଣାଇ ନିଜେ ନିଧିପଣ୍ଡା ରେଳ ଲାଇନ ସ୍ଥାନକୁ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଭାଗୀୟ ଅଧିକାରୀ, ଆଞ୍ଚଳିକ କ୍ରିୟାନୁଷ୍ଠାନର ସଦସ୍ୟ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଗତ ଜୁନ ୨୦ ତାରିଖରେ ମାନସ ଦତ୍ତ ଓ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରାଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ଜନପ୍ରତିନିଧି ସର୍କିଟ ହାଉସରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ଦିଲ୍ଲୀରେ ମଧ୍ୟ ମାନସ ଦତ୍ତ ଉକ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ଷା ଦିନରେ ଏହି ରାସ୍ତା ଜଳବନ୍ଦୀ ହୋଇଯାଏ ଏବଂ ସ୍ଥାନୀୟ ଅଞ୍ଚଳ ଗୁଡିକ ସହ ଗମନାଗମନ ବିଚ୍ଛିନ୍ନ ହୋଇଯାଏ, ଏହାଦ୍ୱାରା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଜୁନ ୨୧ରେ ମାନ୍ୟବର ରେଳମନ୍ତ୍ରୀ ସେଠାକୁ ଯାଇ ତୁରନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟ ୪ ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ମାନ୍ୟବର ମନ୍ତ୍ରୀ ମହୋଦୟ ନିଜ ପ୍ରତିଶୃତି ପୂରଣ କରିବା ସହ ୪ ମାସରୁ କମ ସମୟ ଭିତରେ ସର୍ଭେ କାର୍ଯ୍ୟ ସରି ସବ୍‌-ୱେ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସର୍ଭେ କରାଯାଇ ପୋଲ ନିକଟରେ ୫ ମିଟର ଓସାର ଓ ୫ ମିଟର ଉଚ୍ଚତା ବିଶିଷ୍ଟ ଏକ ସବ୍‌-ୱେ ନିର୍ମାଣ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ବର୍ଷା ଦିନରେ ଜଳପ୍ରବାହ ସମ୍ଭାବନାକୁ ଧ୍ୟାନରେ ରଖି ୪ ମିଟର ଓସାର ଓ ୨.୭ ମିଟର ଉଚ୍ଚତା ବିଶିଷ୍ଟ ୨ୟ ସବ୍‌-ୱେ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ସବ୍‌-ୱେରେ ସମସ୍ତ ପ୍ରକାର ଯାନବାହନ ଯିବା ପାଇଁ ବ୍ୟବହୃତ ହେବ । ବର୍ତ୍ତମାନ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେଠାକାର ଜନସାଧାରଣଙ୍କ ଦୀର୍ଘଦିନର ଦାବୀ ପୂରଣ ହେବାକୁ ଯାଉଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ । ଏଥିପାଇଁ ସଦର ନେତା ମାନସ ଦତ୍ତ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତିସଭ୍ୟା ରଶ୍ମିତା ନାୟକ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ନିଧିପଣ୍ଡା ଆଞ୍ଚଳିକ କ୍ରିୟାନୁଷ୍ଠାନର ସଦସ୍ୟମାନେ ଅଞ୍ଚଳବାସୀଙ୍କ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ