ବାଲେଶ୍ୱର ଜିଲ୍ଲାର ଷଷ୍ଠ ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ଷଷ୍ଠ ପରିଷଦର ପଞ୍ଚମ ବୈଠକ ଆଜି ପୂର୍ବାହ୍ନ ଘ. ୧୦.୩୦ମି ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ସାଂସଦ, ଭଦ୍ରକ, ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ସାଂସଦ, ବାଲେଶ୍ୱରଙ୍କ ପ୍ରତିନିଧି, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ମାନ୍ୟବର ବିଧାୟକ, ସିମୁଳିଆ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ, ନିର୍ବାହୀ ଅଧିକାରୀ, ବାଲେଶ୍ୱର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ନାୟକ ମଞ୍ଚାସୀନ ହୋଇ ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକ ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା I ଏହା ପରେ ପୂର୍ବ ବୈଠକର ବିବରଣୀ ସମ୍ବନ୍ଧରେ ସଂକ୍ଷିପ୍ତ ଭାବରେ ଆଲୋଚନା କରାଯିବା ପରେ ତୃଣମୂଳସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସହିତ ବିକାଶକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନା କରିଥିଲେ I ସଭା କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନେ ଗୃହକୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ ଉପସ୍ଥିତ ସଦସ୍ୟ/ସଦସ୍ୟାମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ I ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ଦୁଲାଲ ସେନ ଜଗତଦେଓ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ କରିବା ସହିତ ସଭାକୁ ସୂଚାଇ ଦେଇଥିଲେ କି ଖୁବ ଶୀଘ୍ର ନୁଆ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି କରାଯାଇ ଆବଶ୍ୟକୀୟ ଚିକିତ୍ସାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୁରଣ କରାଯିବ I ବିଗତ କିଛି ବର୍ଷ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ବାଲେଶ୍ୱର ଜିଲ୍ଲାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯାଇ ପାରିଛି ଏବଂ ଏଥିପାଇଁ ଜିଲ୍ଲାକୁ ‘କାୟାକଳ୍ପ’ ପୁରଷ୍କାର ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ଜଗତଦେଓ ବିସ୍ତୃତରେ ତାଙ୍କର ବାର୍ତ୍ତା ରଖିଥିଲେ I ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ ଜିଲ୍ଲାର ଶିକ୍ଷାବସ୍ଥା ଉପରେ ବିବରଣୀ ପ୍ରସ୍ତୁତ କରିଥିଲେ I ଜିଲ୍ଲାରେ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଉପରେ ଆଲୋଚନା କରାଯିବା ସହିତ ଜିଲ୍ଲାର ଅବସ୍ଥାପିତ ୧୨ଗୋଟି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା I ସେହି ଭଳି ସମାଜ ମଙ୍ଗଳ ଓ ଶିଶୁ କଲ୍ୟାଣ, ଖାଦ୍ୟ ଯୋଗାଣ, ପାନୀୟ ଜଳ, ପୂର୍ତ୍ତ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିଥିଲେ I ବୈଠକରେ ବାଲେଶ୍ୱର ଜିଲ୍ଲା ପରିଷଦର ସମସ୍ତ ଜୋନର ସଭ୍ୟ/ସଭ୍ୟା, ପଞ୍ଚାୟତ ସମିତି ମାନଙ୍କର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ/ଉପାଧ୍ୟକ୍ଷା ଯୋଗଦେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କଠାରୁ ପ୍ରତିଶୃତି ହାସଲ କରିଥିଲେ I ସଭାରେ ପଚରାଯାଇଥିବା ସମସ୍ତ ଯୁକ୍ତିଙ୍କୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପ୍ରତିଶ୍ରୁତି ଦେଇ ଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଶେଷରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଥିବା ସମସ୍ତ ସଭ୍ୟ/ସଭ୍ୟା ତଥା ସରକାରୀ ଅଧିକାରୀମାନଙ୍କୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ନିର୍ଦ୍ଦେଶାଗତ କାର୍ଯ୍ୟର ଅଗ୍ରଗତି ଓ ଦୃଢ଼ୀକରଣ ଉପରେ ବିଶେଷ ଧ୍ୟାନ ଦେବାପାଇଁ ଅନୁରୋଧ କରିଥିଲେ I ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ଅନୁସୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ