ସ୍ୱୟଂଶାସିତ ମହାବିଦ୍ୟାଳୟ ଜାଲ ସ୍ୱାକ୍ଷରକାରୀ ଆର୍ଥିକ ଅନିୟମିତତା ରିପୋର୍ଟ ଥିବା ଅଧ୍ୟାପକଙ୍କୁ କଲେଜ ଅଧ୍ୟକ୍ଷ ଦାୟୀତ୍ୱ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଅନ୍ୟ ନାମରେ ଜାଲ ସ୍ୱାକ୍ଷର କରି ଉଚ୍ଚଶିକ୍ଷା ବିଭାଗକୁ ମିଥ୍ୟା ଅଭିଯୋଗ ପଠାଇଥିବା ଏବଂ ସରକାରୀ ଅନୁଦାନର ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ଅଧ୍ୟାପକଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକ ଅଧ୍ୟାପକଙ୍କ ଦ୍ୱାରା ଅନ୍ୟ ନାମରେ ଜାଲ ସ୍ୱାକ୍ଷରରେ ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଥିବା ଏକ ମିଥ୍ୟା ଅଭିଯୋଗ ଉପରେ କୈାଣସି ତଦନ୍ତ କରାନଯାଇ କେନ୍ଦ୍ରାପଡା କଲେଜର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଚଳିତମାସ ୪ତାରିଖରେ ବିଭାଗ ପକ୍ଷରୁ ଅନ୍ୟତ୍ର ବଦଳି କରାଯାଇଥିବା ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । କାରଣ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଥିବା କୋଟି କୋଟି ଟଙ୍କାର ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଯିବା ଭୟରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଧ୍ୟାପକ ଜଣଙ୍କ ନିଜେ ଅନ୍ୟ ନାମରେ ଜାଲ ସ୍ୱାକ୍ଷର କରି ଉଚ୍ଚଶିକ୍ଷା ବିଭାଗକୁ ବରିଷ୍ଠ ପ୍ରାଧ୍ୟାପକ ଡଃ. ମହାନ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ପଠାଇଛନ୍ତି ବୋଲି ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ବଦଳି ନିର୍ଦେଶର ମାତ୍ର ୫ଦିନ ପରେ ଦୁର୍ନୀତିରେ ସଂପୃକ୍ତ ଥିବା ସେହି ଅଧ୍ୟାପକଙ୍କୁ ଆସନ୍ତା ଡିସେମ୍ବରମାସ ୧ତାରିଖରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା – ୪୯୦୫୩ ତା୯.୧୧.୨୦୨୩ରିଖରେ ଏକ ନିର୍ଦେଶନାମା ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛିି ଯେ ଉଚ୍ଚଶିକ୍ଷା ବିଭାଗ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ଅଧ୍ୟାପକଙ୍କ ସମର୍ଥନ କରୁଥିବା ବେଳେ ଆଗାମୀ ଦିନରେ ସଂପୃକ୍ତ ଅଧ୍ୟାପକଙ୍କୁ ଅଧିକ ଦୁର୍ନୀତି କରିବାକୁ ପ୍ରୋତ୍ସାହିତ କରୁଛି ବୋଲି ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତିି । ଏତଦବ୍ୟତିତ ସଂପୃକ୍ତ ଅଧ୍ୟାପକ ଜଣଙ୍କ ମହାବିଦ୍ୟାଳୟର ଆଇ.ଡି.ପି. ପ୍ରକଳ୍ପ ଦାୟୀତ୍ୱରେ ଗତ ୨୮.୧୧.୨୦୧୬ରିଖରୁ ତା ୧.୦୩.୨୦୨୧ରିଖ ପର୍ଯ୍ୟନ୍ତ ଥିବା ବେଳେ ତାଙ୍କ ନାମରେ ଉଚ୍ଚଶିକ୍ଷା ବିଭାଗକୁ ୨୦୨୦ମସିହା ନଭେମ୍ବର ୫ତାରିଖରେ ଏକ ଅଭିଯୋଗ ହୋଇଥିଲା । ଓଡିଶା ଉଚ୍ଚଶିକ୍ଷା କାଉନସିଲ,ଭୁବନେଶ୍ୱରର ଫାଇନାନ୍ସ ଅଫିସର ଅନିତା ସାହୁ ଗତ ତା ୧୨.୦୧.୨୦୨୧ରିଖରେ ସେହି ଅଭିଯୋଗର ତଦନ୍ତ କରି ତାଙ୍କର ତଦନ୍ତ ରିପୋର୍ଟ ଗତ ତା ୧୯.୦୨.୨୦୨୧ରିଖରେ ପ୍ରଦାନ କରିଥିଲେ । ସେହି ତଦନ୍ତ ରିପୋର୍ଟରେ ତଦନ୍ତକାରୀ ଅଧିକାରୀ ଜଣଙ୍କ ଆଇ.ଡି.ପି. ଅନୁଦାନରେ ବହୁ ଆର୍ଥିକ ଅନିୟମିତତା ହୋଇଥିବା ସମ୍ପର୍କରେ ବିଭାଗକୁ ଦର୍ଶାଇଥିଲେ । ସେହି ତଦନ୍ତ ରିପୋର୍ଟ ଉପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନସଚିବ ପତ୍ର ସଂଖ୍ୟା- ୩୧୬୯୫ ତା ୨୮.୦୭.୨୦୨୨ରିଖରେ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ ର୍ପଦାନ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ଆଞ୍ଚଳିକ ନିର୍ଦେଶକ କେଉଁ କାରଣ ପାଇଁ ତଦନ୍ତ ରିପୋର୍ଟ ପ୍ରଦାନ କରି ନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ମଧ୍ୟ ସଂପୃକ୍ତ ଅଧ୍ୟାପକ ଜଣଙ୍କ ପ୍ରଭାତ କୁମାର ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ନାମରେ ଜାଲ ସ୍ୱାକ୍ଷର କରି ଏକ ପତ୍ର ପଠାଇଥିବା ଉଚ୍ଚଶିକ୍ଷା ବିଭାଗର ତତକାଳୀନ ଶାସନ ସଚିବ ସାଶ୍ୱତ ମିଶ୍ରଙ୍କ ନିକଟରେ ଗତ ତା ୨୦.୦୨.୨୦୨୦ରିଖରେ ଅଭିଯୋଗ ହୋଇଥିଲା ଯାହା ବିଭାଗ ପକ୍ଷରୁ ତଦନ୍ତାଧିନ ରହିଥିବା ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟରୁ ଜଣାପଡିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ବିରୋଧ କରିବାରୁ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ. ସଞ୍ଜୀବ କୁମାର ମହାନ୍ତିଙ୍କ ବିରୋଧରେ ସଂପୃକ୍ତ ଅଧ୍ୟାପକ ଜଣଙ୍କ ଜାଲ ସ୍ୱାକ୍ଷରରେ ମିଥ୍ୟା ଅଭିଯୋଗ କରିବା ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲାର ରାହାମାସ୍ଥିତ ଶାରଳା ଡିଗ୍ରୀ ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଦଳି କରିଦିଆଯାଇଛି । ଏଠାରେ ପ୍ରଶ୍ୱ ଉଠେ ଯେ ଉଚ୍ଚଶିକ୍ଷା ବିଭାଗ କିପରି ସେହି ମିଥ୍ୟା ଅଭିଯୋଗର ତଦନ୍ତ ନକରି ଏବଂ ଅଭିଯୋଗର ସତ୍ୟାସତ୍ୟ ନଜାଣି ସେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାଧ୍ୟାପକ ଡ. ମହାନ୍ତିଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରିଦେଲେ? ଦୁର୍ନୀତିକୁ ବିରୋଧ କରୁଥିବାରୁ ଏବଂ ତାଙ୍କ ପାଖରେ ଅନେକ ଗୁଡିଏ ଦୁର୍ନୀତିର ପ୍ରମାଣ ରହିଥିବାରୁ ଡଃ. ମହାନ୍ତିଙ୍କୁ କଲେଜର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଦେଲେ ପରବର୍ତ୍ତି ସମୟରେ କଲେଜ ମହାଦୁର୍ନୀତିର ତଦନ୍ତ ହୋଇପାରେ । ତେଣୁ ଏସବୁ ଆଶଙ୍କା କରି ଡଃ.ମହାନ୍ତିଙ୍କୁ ବେଆଇନ ଭାବେ ବଦଳି କରିଦିଆଯାଇଥିବା କଲେଜର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଦୈତାରୀ ସେଠୀ, ପ୍ରଦିପ ସାହୁ, ପ୍ରତାପ ମହାନ୍ତି, ବିଶ୍ୱଜିତ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । କଲେଜରେ ହୋଇଥିବା ମହାଦୁର୍ନୀତିକୁ ଚାପିଦେବାକୁ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଭଳି ଷଡଯନ୍ତ୍ରରେ ସାମିଲ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତିି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନାମା ନମ୍ବର – ୨୮୮୪୮ ତା ୬.୧୦.୨୦୧୬ରିଖ ଅନୁ୍‌ୟାୟୀ ଜଣେ ଅଧ୍ୟାପକ ଗୋଟିଏ କଲେଜରେ ଅନୁନ୍ୟ ୫ବର୍ଷ ଚାକିରୀକାଳ ସମାପ୍ତ କରିଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ । କିନ୍ତୁ ପ୍ରାଧ୍ୟାପକ ଡଃ. ମହାନ୍ତି ମାତ୍ର ୨ବର୍ଷ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ଏଠାରୁ ବଦଳି କରାଯାଇଥିବା ବେଳେ ଜଣେ ୨୦ବର୍ଷ ପୁରଣ କରିଥିବା ଅଧ୍ୟ।।ପକଙ୍କୁ ଏଠାରୁ ବଦଳି ନକରି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟୀତ୍ୱ ପ୍ରଦାନ କରୁଛି ତାହା ଉଚ୍ଚଶିକ୍ଷା ବିଭାଗର ନିରପେକ୍ଷତା ଏବଂ ବିଶ୍ୱାସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି? ତୁରନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କଲେଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପୁରାତନ ଛାତ୍ରମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ