“ଏକ ଦେଶ : ଏକ ନିର୍ବାଚନ” ସାହସିକ ପ୍ରସ୍ତାବ କିନ୍ତୁ ସେଥିପାଇଁ ଜାତୀୟ ସହମତି ଜରୁରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :‘ଏକ ଦେଶ : ଏକ ନିର୍ବାଚନ’ ଏକ ସାହସିକ ପ୍ରସ୍ତାବ । ଏହାଫଳରେ ଭାରତୀୟ ଗଣତନ୍ତ୍ରର ଚିତ୍ର ବଦଳିଯାଇପାରେ ଓ ଜାତୀୟ ରାଜନୈତିକ ପରିବେଶ ପ୍ରଭାବିତ ହୋଇପାରେ । କିନ୍ତୁ ଏହାକୁ ଜାତୀୟ ସହମତିଭିତ୍ତିରେ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁଜିତ କୁମାର ଏହାକୁ ସମର୍ଥନ ଜଣାଇଛନ୍ତି ଓ ସାରା ଦେଶରେ ଏହି ପ୍ରସଙ୍ଗରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ଆନକୂଲ୍ୟରେ ସ୍ଥାନୀୟ ରେଡ଼କ୍ରସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁଜିତ କୁମାର କହିଲେ ଯେ, ଏହା ଫଳରେ ଦେଶରେ ନିର୍ବାଚନ ବ୍ୟୟ ୫୦ ପ୍ରତିଶତ ହ୍ରାସ, ସରକାରୀ ନୀତି ନିର୍ଦ୍ଧାରଣରେ ସୁବିଧା, ସ୍ୱଚ୍ଛତା ପାଳନ, ଭୋଟରମାନଙ୍କ ଆଗ୍ରହ ଓ ଉତ୍ସାହ ବୃଦ୍ଧିର ସମ୍ଭାବନା ରହିଛି । ସେ ୧୯୬୭ ପରଠାରୁ ଏକକ ନିର୍ବାଚନ ବାବଦରେ ନିର୍ବାଚନ କମିଶନ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି, ବିଧି ଆୟୋଗ ଏବଂ ନୀତି ଆୟୋଗ ଇତ୍ୟାଦିର ରିପୋର୍ଟ ସମ୍ପର୍କରେ ‘ଏକ ଦେଶ : ଏକ ନିର୍ବାଚନ’ ବାବଦରେ ପ୍ରଦତ୍ତ ସୁପାରିଶ ଗୁଡ଼ିକର ବିଶ୍ଲେଷଣ କରିଥିଲେ । ଅପରପକ୍ଷରେ କେତେକ ପ୍ରତିବନ୍ଧକ ରହିଥିବା ନେଇ ସେ କହିଥିଲେ ଯେ, ଏଥିପାଇଁ ସମ୍ବିଧାନ ସଂଶୋଧନ, ସାରା ଦେଶରେ ଏକକ ଭୋଟର ତାଲିକା ପ୍ରଣୟନ, ଲୋକସଭା ଓ ଦଳ ବଦଳ ନିରୋଧ ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ । ଏପରି ନିର୍ବାଚନ ହେଲେ ଆଞ୍ଚଳିକ ଦଳ ଗୁଡ଼ିକ କ୍ଷତିଗ୍ରସ୍ତ ହେବେ ବୋଲି କରାଯାଉଥିବା ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଶ୍ରୀ ସୁଜିତ କୁମାର କହିଥିଲେ ଯେ, ‘ଏକ ଦେଶ : ଏକ ନିର୍ବାଚନ’ ପ୍ରସଙ୍ଗ କ୍ଷମତାସୀନ ବିଜେପି ଦଳର ଇସ୍ତାହାରରେ ରହିଥିଲା । ସେ ଏ ସମ୍ପର୍କରେ ଦେଶବ୍ୟାପୀ ଜନମତ ସାଙ୍ଗକୁ ବିତର୍କ ହେବା ଦରକାର ଓ ଜାତୀୟ ସହମତିଭିତ୍ତିରେ ଏହା କାର୍ଯ୍ୟକାରୀ ହେଲେ ଦେଶ ପାଇଁ ଭଲ ହେବ ବୋଲି ମତ ଦେଇଥିଲେ ।
ବିଶିଷ୍ଟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ କହିଲେ ଯେ, ‘ଏକ ଦେଶ : ଏକ ନିର୍ବାଚନ’ ଭାରତୀୟ ଗଣତନ୍ତ୍ରର ସଂଘୀୟ ବ୍ୟବସ୍ଥା ଉପରେ କୁଠାରାଘାତ କରିବ । ଅନ୍ୟ ପକ୍ଷରେ ଗୋଟିଏ ସମୟରେ ନିର୍ବାଚନ ହେଲେ ପାଣିପାଗ, ଇଭିଏମ୍ ମେସିନ, ପୋଲିସ୍ ସୁରକ୍ଷା ବଳ, ଆଞ୍ଚଳିକ ଦଳ ଗୁଡ଼ିକର ପ୍ରଭାବ ଇତ୍ୟାଦି କାରଣରୁ ଅନେକାନେକ ଅସୁବିଧା ଉପୁଜିବ । କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବରେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏପରି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଟ୍ରଷ୍ଟ ଅଧିକ କ୍ରିୟାଶୀଳ ହେବ ବୋଲି ଆଶାପ୍ରକଟ କରିଥିଲେ ।ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ଏକ ଦେଶ : ଏକ ନିର୍ବାଚନ’ ପ୍ରସଙ୍ଗ ଉପରେ ବୌଦ୍ଧିକ ବିତର୍କର ଆବଶ୍ୟକତା ରହିଛି ବୋଲି ଦର୍ଶାଇବା ସହିତ ସ୍ୱର୍ଗତ ବରେନ୍ଦ୍ରକୃଷ୍ଣଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କୁ ଜୀବଦ୍ଦଶାରେ କିମ୍ବଦନ୍ତୀ ସାମ୍ବାଦିକ ଭାବେ ଆଖ୍ୟାୟିତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ବରେନ୍ଦ୍ରକୃଷ୍ଣଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଟ୍ରଷ୍ଟ ପକ୍ଷରୁ ସିଦ୍ଧାର୍ଥ ଧଳ ସେମାନଙ୍କୁ ଉପଢୌକନ ଓ ବୃକ୍ଷଚାରା ପ୍ରଦାନ କରିଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ପ୍ରସଙ୍ଗରେ ବରେନ୍ଦ୍ରକୃଷ୍ଣଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଏବଂ ଟ୍ରଷ୍ଟର ଆଭିମୁଖ୍ୟ ବାବଦରେ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ଉତ୍ତୀର୍ଣ୍ଣ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ଚଳିତବର୍ଷର ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ ଭାବରେ ୧୦ ହଜାର ଟଙ୍କାର ଅର୍ଥରାଶି ସହିତ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷାବିତ ତଥା ସମାଜସେବୀ ସବତା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ । ଶେଷରେ ଟ୍ରଷ୍ଟ ପକ୍ଷରୁ ସୁଲେଖିକା ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଓ ସଂସ୍କୃତିପ୍ରେମୀ ସମବେତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ