ବିଏସ୍‌ସି ବିଇଡି ଶିକ୍ଷକଙ୍କୁ ପ୍ରାଥମିକ ବିଦ୍ୟାଳୟକୁ ବଦଳି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପ୍ରାଥମିକ ବିଦ୍ୟାଳୟକୁ ବିଏସ୍‌ସି ବିଇଡି ଶିକ୍ଷକଙ୍କୁ ବଦଳି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ । ଏହିପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତର ବଛାଳୋ ଗ୍ରାମର ବଛାଳୋ ଉନ୍ନତି ସରକାରୀ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀ ରହିଅଛି । ତନ୍ମଧ୍ୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ ଅଧୀନରେ ରହିଅଛି । ଉକ୍ତ ୮ଟି ଶ୍ରେଣୀକୁ ପାଠ ପଢାଇବା ପାଇଁ ସର୍ବନିମ୍ନ ୫ଜଣ ଶିକ୍ଷକଙ୍କର ଆବଶ୍ୟକ ରହିଛି । କିନ୍ତୁ ଏହି ବିଦ୍ୟାଳୟରେ ପିଲା ସଂଖ୍ୟା ୧୬୫ ଥିବା ବେଳେ ମାତ୍ର ୪ଜଣ ଶିକ୍ଷକଙ୍କୁ ନେଇ ପାଠପଢା ଚାଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ପଢାଇବା ପାଇଁ ବିଜ୍ଞାନ ଶିକ୍ଷକ ଆବଶ୍ୟକ ଥିବା ବେଳେ ଉକ୍ତ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନ ଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ବିଶ୍ୱରଂଜନ ରାଉତ (ବିଏସସି ବିଇଡି) କାର୍ଯ୍ୟ କରୁଥିଲେ । କିନ୍ତୁ ବ୍ଳକ ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳଙ୍କ ଅନୁମୋଦନରେ ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବିଜ୍ଞାନ ଶିକ୍ଷକ ରାଉତଙ୍କୁ ସୁଆଁକଣ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । ନିୟମାନୁସାରେ ଗୋଟିଏ ବିଦ୍ୟାଳୟରେ ଯଦି ଏକାଧିକ ବିଜ୍ଞାନ ଶିକ୍ଷକ ରହିଥିବେ ତେବେ ଆବଶ୍ୟକ ଥିବା ବିଦ୍ୟାଳୟକୁ ବଦଳି କରାଯାଇପାରିବ । କିନ୍ତୁ ସୁଆଁକଣ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ସେଠାକୁ କେଉଁ ଉଦ୍ଦେଶ୍ୟରେ ବିଜ୍ଞାନ ଶିକ୍ଷକଙ୍କୁ ବଦଳି କରାଯାଇଛି ତାହାକୁ ନେଇ ଶିକ୍ଷକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ବଛାଳୋ ଉନ୍ନତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଟ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ସେଠାରେ ବିଜ୍ଞାନ ଶିକ୍ଷକ ନଥିବା ହେତୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଆଗକୁ ବାର୍ଷିକ ପରୀକ୍ଷା ରହିଥିବା ବେଳେ ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ବ୍ଳକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ଯୋଗୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବିଜ୍ଞାନ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ବଛାଳୋ ପଂଚାୟତର ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏସଂପର୍କରେ ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ପଚାରିବାରେ-ଉକ୍ତ ଶିକ୍ଷକଙ୍କୁ ସ୍ୱଳ୍ପ ସମୟ ପାଇଁ ଅନ୍ୟତ୍ର ପଠାଯାଇଛି । ଉକ୍ତ ବିଦ୍ୟାଳୟ ହାଇସ୍କୁଲ ସହିତ ମିଶିକି ରହିଛି, ତେଣୁ ହାଇସ୍କୁଲର ଶିକ୍ଷକ ଆସି ପଢାଇବେ କହି ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଚଇନଙ୍କୁ ପଚାରିବାରେ – ଆମର ନବମ , ଦଶମ ପାଇଁ ୨ଜଣ ବିଜ୍ଞାନ ଶିକ୍ଷକ ରହିଛନ୍ତି । ଆମ ପିଲାଙ୍କ କ୍ଳାସ ସାରି ଉକ୍ତ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହେଉନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ