ଦୁର୍ଗମ ଆଦିବାସୀ ପଲ୍ଲୀରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଅଗମ୍ୟ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଏଠି ବିଦ୍ୟାର୍ଥୀ ସାଜନ୍ତି ଅତିଥି । କରନ୍ତି ପତାକା ଉତ୍ତୋଳନ । ଚଳିତ ବର୍ଷ ୫ମ ଶ୍ରେଣୀର ଛାତ୍ରୀ ସାବିତ୍ରୀ ଗାଗରାଇ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ସମ୍ବିଧାନ ପ୍ରଣେତା ଡଃ. ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ । ବିଦ୍ୟାର୍ଥୀ, ଶିକ୍ଷକ, ସାମାଜିକ ସଂଗଠନର କର୍ମକର୍ତ୍ତା, ଗାଁ ଲୋକେ ସାମିଲ ହୋଇ ବେଶ୍ ଧୁମ୍‌ଧାମ୍‌ରେ ଗଣତନ୍ତ୍ର ଦିବସକୁ ପାଳନ କରିଥିଲେ । ଜଙ୍ଗଲ ଘେରା ଏହି ଗାଁର ବିଦ୍ୟାଳୟ ପରିସର ମଧ୍ୟରେ ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଗୋବର ଓ ମାଟିରେ ଲିପା ପୋଛା କରି ରଙ୍ଗ ବେରଙ୍ଗ ଫୁଲରେ ସଜାଇଥିଲେ । ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ୍‌’ ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ପରିବେଶ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ଶୋଭନ ରାଉତରାୟ, ବଦ୍ରି ନାରାୟଣ ଜେନା, ରୁଦ୍ର ନାରାୟଣ ଜେନା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗଦେଇ ଏହି ରାଷ୍ଟ୍ରିୟ ପର୍ବର ମହତ୍ୱକୁ ନେଇ ଚର୍ଚ୍ଚା କରିଥିଲେ । ସୂଚନାଯୋଗ୍ୟ, ୨୦୧୬ରେ ଗ୍ରାମବାସୀମାନେ ଏକାଠି ହୋଇ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରଥମେ ଏପରି ଏକ ଜାତୀୟ ପର୍ବ ପାଳନ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ସେହିଦିନ ଠାରୁ ବିଗତ ୯ବର୍ଷ ଧରି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ