ଦାବି ପୂରଣ ନହେଲେ ଏସ୍‌ଏସ୍‌ବି ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପିକା-ଅଧ୍ୟାପକ ସଂଘ ତରଫରୁ ପ୍ରାରମ୍ଭିକ ଗ୍ରେଡ୍ ପେ ସଂଶୋଧନ ଦାବି ନେଇ ଏକ ରାଜ୍ୟସ୍ତରୀୟ ସମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ କୁହାଯାଇଛି ଯେ, ଅଧ୍ୟାପିକା ଅଧ୍ୟାପକମାନେ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ହାରରେ ପ୍ରାରମ୍ଭିକ ଗ୍ରେଡ୍ ପେକୁ ୪୬୦୦/-ରୁ ୫୪୦୦/-କୁ ସଂଶୋଧନ ପାଇଁ ଥିବା ନ୍ୟାୟସଙ୍ଗତ ଦାବି ନେଇ ଗତ ୧୪୫ ଦିନ ହେବ ଶାନ୍ତିପୂର୍ଣ୍ଣ ପନ୍ଥାରେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ଦାବି ପୂରଣ ପାଇଁ ସେପରି କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯଦି ସରକାର ସେମାନଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଏସ୍‌ଏସ୍‌ବି ଅଧ୍ୟାପିକା-ଅଧ୍ୟାପକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଏବଂ ଆବଶ୍ୟକ ହେଲେ +୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବେ ବୋଲି କହିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ୧୯୯୨ ମସିହାରୁ ବନ୍ଦ ଥିବାବେଳେ ଏହି କଲେଜଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୬ରୁ ୨୦୨୪ ମଧ୍ୟରେ ପ୍ରାୟ ୪୫୦୦ ଅଧ୍ୟାପିକା ଅଧ୍ୟାପକଙ୍କୁ ଏକ ସ୍ୱଚ୍ଛ ଓ ଯୋଗ୍ୟତାଭିତ୍ତିିକ ସରକାରୀ ପଦ୍ଧତିରେ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ଦ୍ୱାରା ଚୟନ କରାଯାଇଛି । ଏହି ଅଧ୍ୟାପିକା, ଅଧ୍ୟାପକମାନେ ସ୍ୱତନ୍ତ୍ର ଭାବରେ କେବଳ ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତ ହୋଇଥିବା ବେଳେ ସରକାରଙ୍କ ତରଫରୁ ସେହି ଅନୁସାରେ ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହିଁ । ପୂର୍ବରୁ (୧୯୮୯) ହୋଇଥିବା ନିଯୁକ୍ତିରେ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକମାନଙ୍କୁ ସରକାରୀ ଅଧ୍ୟାପକଙ୍କ ସହ ସମାନ ଗ୍ରେଡ୍ ପେରେ ନିଯୁକ୍ତି ମିଳୁଥିବା ବେଳେ ୨୦୧୬ ମସିହା ପରଠାରୁ ସେମାନଙ୍କୁ ଯଥେଷ୍ଟ ତଳସ୍ତର ୪୬୦୦/- ଟଙ୍କା ଗ୍ରେଡ୍ ପେରେ ନିଯୁକ୍ତି ମିଳୁଛି ଯାହାକି ଆଇନସମ୍ମତ ନୁହେଁ ଏବଂ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ପାଇଁ ଆଦୌ ପ୍ରଜୁଯ୍ୟ ନୁହେଁ । ଏହାଦ୍ୱାରା ସେମାନଙ୍କର ସମ୍ମାନ ହାନି ହେଉଛି ।
ଏହି ବିସଙ୍ଗତି ନେଇ ଏସ୍‌ଏସ୍‌ବି ଅଧ୍ୟାପିକା ଅଧ୍ୟାପକମାନେ ଦୀର୍ଘ ୮ ବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କ ଗ୍ରେଡ୍ ପେକୁ ୫୪୦୦/-କୁ ସଂଶୋଧନ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏ ନେଇ ଓଡ଼ିଶା ଏସ୍‌ଏସ୍‌ବି ଅଧ୍ୟାପିକା/ଅଧ୍ୟାପକ ସଂଘର ସଭାପତି ଶ୍ରୀ ସରୋଜକାନ୍ତ ନାୟକ କହିଛନ୍ତି ଯେ, “ଆମେ ସରକାରୀ ଅଧ୍ୟାପକଙ୍କ ଭଳି ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ଅଧ୍ୟାପିକା/ଅଧ୍ୟାପକ ମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହିଁ ଏବଂ ସେମାନଙ୍କ ଠାରୁ ଯଥେଷ୍ଟ ତଳସ୍ତରରେ ୪୬୦୦/- ଗ୍ରେଡ୍ ପେରେ ରଖାଯାଇଛି ଯାହାକି ଅଧ୍ୟାପିକା/ଅଧ୍ୟାପକମାନଙ୍କ ପାଇଁ ଏକ ଅପମାନର ବିଷୟ । ଏହି ଅନ୍ୟାୟ ଓ ବିସଙ୍ଗତି ନେଇ ଅଧ୍ୟାପିକା/ଅଧ୍ୟାପକ ମାନେ ଦୀର୍ଘ ୮ ବର୍ଷ ଧରି ସରକାରଙ୍କ ପାଖରେ ଲଗାତର ଦାବି ଉପସ୍ଥାପନ କରି ନୟାନ୍ତ ହେଲା ପରେ ଗତ ଗୁରୁ ଦିବସ ଠାରୁ କଳାବ୍ୟାଜ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଆସୁଥିଲୁ । ଯେପରିକି ଶିକ୍ଷାଦାନ ବ୍ୟବସ୍ଥାରେ କୌଣସି ବ୍ୟାଘାତ ନଘଟେ ଏବଂ ସରକାରଙ୍କୁ ଅନୁରୋଧ କରିଥିଲୁ ଯେ ପ୍ରାଥମିକ ଗ୍ରେଡ଼ ପେକୁ ୫୪୦୦/-କୁ ସଂଶୋଧନ କରି ଏହାକୁ ପିଛିଲା ଭାବେ ଲାଗୁ କରନ୍ତୁ ଏବଂ ସମସ୍ତ ଏସ୍‌ଏସ୍‌ବି ଅଧ୍ୟାପିକା/ଅଧ୍ୟାପକମାନଙ୍କୁ ଆନୁମାନିକ ହାରରେ ବେତନ ପ୍ରଦାନ କରନ୍ତୁ । ମାତ୍ର ୧୪୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ସଂଘର ଦାବି ପୂରଣ ଦିଗରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଉନ୍ନତି ଆଣିବାକୁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଶିକ୍ଷାର ଉନ୍ନତି ପାଇଁ ସ୍ୱୟଂ ତାଙ୍କ ଦ୍ୱାରା ଏସ୍‌ଏସ୍‌ବି ମାଧ୍ୟମରେ ନିଯୁକ୍ତ ଶିକ୍ଷାଦାତାମାନଙ୍କୁ ଅଣଦେଖା କରିବା ଏକ କ୍ଷୋଭ ଓ ପରିତାପର ବିଷୟ । ତେଣୁ ଏସ୍‌ଏସ୍‌ବି ଅଧ୍ୟାପିକା ଅଧ୍ୟାପକମାନଙ୍କ ୫୪୦୦/- ଗ୍ରେଡ୍ ପେ ପାଇଁ ଥିବା ଦାବିଗୁଡ଼ିକ ପୂରଣ କରିବା ପାଇଁ ୧୫ଦିନ ଭିତରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଏସ୍‌ଏସ୍‌ବି ଅଧ୍ୟାପିକା/ଅଧ୍ୟାପକ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । ଆବଶ୍ୟକ ପଡ଼ିଲେ ଆଗକୁ ହେବାକୁ ଥିବା +୨ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନରେ ମଧ୍ୟ ଅସହଯୋଗ କରିବୁ ।”ଏଠାରେ ସୂଚନାଯୋଗ୍ୟ ଏସ୍‌ଏସ୍‌ବି ଅଧ୍ୟାପିକା/ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଫଳରେ ଆପାତତଃ ୩ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ ଆଗାମୀ +୨ କାଉନ୍‌ସିଲ ପରୀକ୍ଷା ମଧ୍ୟ ପ୍ରଭାବିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ସରୋଜକାନ୍ତ ନାୟକ, ଉପସଭାପତି ରଜନୀ କୁମାର ନାୟକ, ସମ୍ପାଦକ ଲମ୍ବୋଦର ରାଉତ, ଯୁଗ୍ମ କୋଷାଧ୍ୟକ୍ଷ ଜ୍ୟୋତି ପ୍ରକାଶ ପଲାଇ, ସଂଘର ସଦସ୍ୟ ଗୌରବ ଶର୍ମା ଏବଂ ଜିଲ୍ଲା ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ