ଥାଲାସେମିଆ ଶିଶୁଙ୍କ ଉଦ୍ଦେଶ୍ୟରେ ଯୁବ ଇଞ୍ଜିନିୟର କଲେ ରକ୍ତଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ । ସ୍ମାର୍ଟ ନଗରୀ ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲସ୍ଥିତ ରକ୍ତ ଭଣ୍ଡାରରେ ଏଭଳି ସମସ୍ୟାର ଚିତ୍ର ସାମ୍ନାକୁ ଆସିଛି । ପ୍ରତ୍ୟେହ ଦୈନିକ ରୋଗୀମାନଙ୍କ ନିମନ୍ତେ ପାଖାପାଖି ୧୦୦ ୟୁନିଟ୍ ରକ୍ତ ଆବଶ୍ୟକତା ପଡୁଥିବା ସମୟରେ ବ୍ଲଡ ବ୍ୟାଙ୍କରେ ଏବେ ୧୦ରୁ ୧୫ ୟୁନିଟ୍ ରକ୍ତ ରହୁଛି । ଯଦ୍ୱାରା ଅନେକ ଥାଲାସେମିଆ ଶିଶୁ, ଦୁର୍ଘଟଣାରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ଜରୁରୀକାଳୀନ ଅପରେସନ ପାଇଁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଇ-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା “କେୟାର ଫର ୟୁ” ଏବଂ “ବିଜିନେସ୍ ଇଣ୍ଟେଲିଜେନ୍ସ ପ୍ରୋଫେସନାଲ୍ସ”ର ମିଳିତ ଆନୁକୂଲ୍ୟରେ ପଟିଆ ସ୍ଥିତ ଡ଼ି.ଏଲ୍‌.ଏଫ୍ ବିଲଡ଼ିଂ ପରିସର ମଧ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁଇ ସଂସ୍ଥାରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନେ ଦେବଦୂତ ପରି ଜଣକ ପରେ ଜଣେ ଆସି ଥାଲାସେମିଆ ଶିଶୁଙ୍କ ଉଦ୍ଦେଶ୍ୟରେ ରକ୍ତଦାନ କରିଥିଲେ । ଶିବିରକୁ ଆନୁଷ୍ଠାନିକ ରୂପେ ସଂସ୍ଥାର ସି.ଇ.ଓ ମିହିର କୁମାର ଦାଶ ଏବଂ ବ୍ଲଡ ବ୍ୟାଙ୍କର ନିର୍ଦ୍ଦେଶକ ଡ଼ାକ୍ତର ଦେବାଶିଷ ମିଶ୍ର ଉଦ୍‌ଘାଟନ କରିଥିଲେ । ସେଞ୍ଚୁରିଆନ୍ ବ୍ଲଡ ଡ଼ୋନର ଗୋପୀ ମୋହନ ପଟ୍ଟନାୟକ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ସଙ୍ଗୀତା ମହାନ୍ତି, ବାଦଲ ନାୟକ, ମାନସ କୁମାର ସାହୁ, ତ୍ରିନାଥ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇ କ୍ୟାପିଟାଲ୍ ହସ୍ପିଟାଲ ବ୍ଲଡ ବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ