କୃଷି ବଜେଟରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଉଦ୍ୟମ ହୋଇନି
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ଚଳିତ ବଜେଟରେ କୃଷି ବଜେଟ ପାଇଁ ଅଧିକ ବ୍ୟୟ ବରାଦ କରାଯାଇଥିଲେ ବି ତାହା ଚାଷୀଙ୍କ ଆୟ ବୃଦ୍ଧି କିମ୍ବା ଖାଦ୍ୟ ପଦାର୍ଥରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଠିକଣା ଢଙ୍ଗରେ ଅର୍ଥ ବରାଦ କରାଯାଇନାହିଁ। ଆଳୁ, ପିଆଜ, ମାଛ, ଅଣ୍ଡା, ତେଲ ଓ ଫଳରେ ଓଡ଼ିଶା ଆତ୍ମନିର୍ଭଶୀଳ ହୋଇନଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରାଯାଇନାହିଁ। ସେହିଭଳି ପୂର୍ବ ନିର୍ବାଚନ ସମୟରେ କାଳିଆ ଯୋଜନାରେ ଚାଷୀଙ୍କୁ ୧୦,୦୦୦ ଟଙ୍କା ଦିଆଯାଉଥିବା ବେଳେ ତାହାକୁ ଅଫିସରମାନଙ୍କ ଚକ୍ରାନ୍ତରେ ୪,୦୦୦ କରି ଦିଆଯାଇଥିଲା। ସେହି କଟା ହୋଇଥିବା ଅର୍ଥକୁ କୃଷି ବଜେଟରେ ଦିଆଯାଇ ପାରିଥାନ୍ତା। କିନ୍ତୁ ସେଭଳି କରାଯାଇନାହିଁ। କ୍ଷୀର ଉତ୍ପାଦନ ବୃଦ୍ଧି ସହ ଓ ମାଛ, କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଁ ଯେଉଁ ଅନୁପାତରେ ଅର୍ଥ ବ୍ୟବସ୍ଥା କରାଯିବା କଥା ତାହା ତଦନୁରୂପ ହୋଇନାହିଁ। ଜଳସେଚନ ପାଇଁ ଅଧିକ ଅର୍ଥ ବରାଦ କରାଯାଇଥିଲେ ବି ତାହା ଅଣଜଳସେଚନ, ରାସ୍ତାଘାଟ ଓ ପୋଲ ନିର୍ମାଣରେ ଖର୍ଚ୍ଚ କରାଯାଉଛି। ଯେଉଁଥିପାଇଁ ମରୁଡ଼ିରେ ଚାଷୀ ଆତ୍ମହତ୍ୟା କରୁଛି। ଉଦ୍ୟାନ ବିଭାଗ ପାଇଁ ଯେଉଁ ନଗନ୍ୟ ଭାବରେ ଅର୍ଥ ଖର୍ଚ୍ଚ କରାଯାଉଛି ତାହା ଫଳ, ଫୁଲ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିପାରିବ ନାହିଁ। କୃଷି ବଜେଟ କରାଗଲା ବେଳେ ରାଜ୍ୟର ବିଶିଷ୍ଟ କୃଷିବିତ୍ କୃଷକ ସଂଗଠନର ନେତାମାନଙ୍କୁ ଡକା ନଯାଇ ମନ ଇଚ୍ଛା ଅଫିସର ଓ କମ୍ପାନୀ ମାନଙ୍କ ନିର୍ଦ୍ଦେଶରେ ଅର୍ଥ ବରାଦ କରାଯାଉଛି। ଯାହାର ପରିଣତ ସୂରୁପ ବର୍ଷ ବର୍ଷ ଧରି କୃଷି ବଜେଟ୍ ହେଉଥିଲେ ହେଁ ତାହା ଚାଷୀ ମାନଙ୍କ ଆୟ ବୃଦ୍ଧି କିମ୍ବା କୃଷିରେ ଓଡ଼ିଶାକୁ ଆଗକୁ ନେଉନାହିଁ। ଅତଏବ୍ ପ୍ରଚାର ସର୍ବସ୍ବ ଯୋଜନା ଚାଷୀଙ୍କୁ ପଛକୁ ନେଉଛି, କିନ୍ତୁ ସରକାରଙ୍କ ଭୋଟ ହାର ଆଗକୁ ବଢ଼ୁଛି। କେବଳ ଭୋଟ କେନ୍ଦ୍ରିତ ଯୋଜନା ଓଡ଼ିଶା ଚାଷୀଙ୍କ ଭାଗ୍ୟକୁ ଅନ୍ଧକାରକୁ ଟାଣି ନେଉଛି। ପଡ଼ିଶା ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସିଧାସଳଖ ଆର୍ଥିକ ପ୍ରୋତ୍ସାହନ ଓ ସୁରକ୍ଷା ବାବଦରେ ଲକ୍ଷ ଲକ୍ଷ ଟଙ୍କା ଦିଆଯାଉଛି। କିନ୍ତୁ ଓଡ଼ିଶାରେ ସିଧାସଳଖ ଚାଷୀଙ୍କ ଆୟ ବୃଦ୍ଧି କିମ୍ବା ରିଲିଫ୍ କୋର୍ଡ ସଂଶୋଧନ କିମ୍ବା ଚାଷୀ ମରିଗଲେ କ୍ଷତି ପୂରଣ ରାଶି କଥା ଚିନ୍ତା କରାଯାଏ ନାହିଁ। ଏହା ହିଁ କୃଷି ବଜେଟର ବିଫଳତାକୁ ସୂଚାଉଛି। ନୟାଗଡ଼, ବଡ଼ମ୍ବା ବିଜୟାନନ୍ଦ ସମବାୟ ଚିନି ବଳ କିମ୍ବା ତିର୍ତୋଲ ସୂତା କଳ କାହାର ପୂନଃରଦ୍ଧାର ପାଇଁ ଉଦ୍ୟମ କରାଯାଇନି ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।