୧୦% ଇଡବ୍ଲ୍ୟୁଏସ୍ ସଂରକ୍ଷଣ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ ସାଧାରଣ ବର୍ଗର ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଧାରଣ ବର୍ଗର ଗରିବ ପିଲାଙ୍କ ପାଇଁ ପାଠ ପଢ଼ା ଓ ନିଯୁକ୍ତି କ୍ଷେତ୍ରରେ ୨୦୧୯ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଥିବା ୧୦% ଇଡବ୍ଲ୍ୟୁଏସ୍ କୋଟା ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ ଆଜି ବିଧାନସଭା ସମ୍ମୁଖରେ ଓଡ଼ିଶା ସାଧାରଣ ବର୍ଗ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧାରଣ ବର୍ଗର ଲୋକମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବର ତୀବ୍ର ସମାଲୋଚନା କରିଥିଲେ । ଜାତିଭିତ୍ତିକ ସଂରକ୍ଷଣ ଯୋଗୁଁ ସମସ୍ତ କ୍ଷେତ୍ରରେ ହନ୍ତସନ୍ତ ସାଧାରଣ ବର୍ଗର ଲୋକମାନଙ୍କ ପୀଡ଼ା ଅନୁଭବ କରି କେନ୍ଦ୍ର ସରକାର ଏ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଏହା ଲାଗୁ ନକରିବା ଯୋଗୁଁ ଜନ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ଅନ୍ୟ ରାଜ୍ୟ ମାନଙ୍କରେ ପିଲାମାନେ ଏହା ପାଉଥିବା ବେଳେ ଓଡ଼ିଶାର ପିଲା କାହିଁକି ବଞ୍ଚିତ ହେବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନର ଆବାହକ ଉଦ୍ଧବ କର। ଅଧିକନ୍ତୁ ଓଡ଼ିଶାରେ ସାଧାରଣ ବର୍ଗର ଲୋକଙ୍କୁ ବିଭାଜିତ କରି ରଖିବା ପାଇଁ ରାଜ୍ୟ ସରକାର ଏସ୍ଇବିସି ନାଁରେ ଏକ ଅବାନ୍ତର ଯୋଜନା ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଖଣ୍ଡାୟତ ପିଲାଙ୍କୁ ଏସ୍ଇବିସି ପ୍ରମାଣପତ୍ର ଦେଇ ରାଜ୍ୟ ସରକାର ସେମାନଙ୍କୁ କୁହେଳିକା ଭିତରେ ରଖିଛନ୍ତି । ଏହାଦ୍ବାରା ଖଣ୍ଡାୟତ ଜାତିର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ସହ ସରକାରୀ ପ୍ରୟାସରେ ଖଣ୍ଡାୟତ ଜାତି ଭିତରେ ଏକ ବିଭେଦର ପ୍ରାଚୀର ନିର୍ମାଣ କରାଯାଉଛି ବୋଲି ଖଣ୍ଡାୟତ ସମାଜ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଏଭଳି କୁକୃତ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ନିମ୍ନ ସ୍ତରର ବୋଲି ମହାସଭା ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ କିଛି ଖଣ୍ଡାୟତ ପିଲାଙ୍କୁ ରାଜ୍ୟ ସରକାର ଏସ୍ଇବିସି ଜାଲରେ ଫସାଇ ରଖିଥିବାରୁ ସେମାନେ କୌଣସି କେନ୍ଦ୍ରୀୟ ଯୋଜନାର ଲାଭ ମଧ୍ୟ ପାଇପାରୁ ନାହାନ୍ତି । ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତି ଓଡ଼ିଶାର ମେରୁଦଣ୍ଡ ଖଣ୍ଡାୟତ ଜାତିକୁ ଦୁର୍ବଳ କରିଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଓଡ଼ିଶାର ସାଧାରଣ ବର୍ଗ । ସାଧାରଣ ବର୍ଗ ସୁରକ୍ଷା କମିଟିର ଆବାହକ ଶ୍ରୀଯୁକ୍ତ କୁଳମଣି ମିଶ୍ର ରାଜ୍ୟ ସରକାରଙ୍କ ଏଭଳି ସାଧାରଣ ବର୍ଗର ଲୋକଙ୍କୁ ବିଭାଜିତ କରି ଓଡ଼ିଶାକୁ ଶାସନ କରିବା ନୀତିର ତୀବ୍ର ନିନ୍ଦା କରିଛନ୍ତି । ସାଧାରଣ ବର୍ଗର ସଂଯୋଜକ ତଥା ଜାତୀୟ ମାନବାଧିକାର କର୍ମୀ ସୁକାନ୍ତ ପଣ୍ଡା ଏହି ବିକ୍ଷୋଭରେ ଯୋଗ ଦେଇ ରାଜ୍ୟ ସରକାର ତୁରନ୍ତ ସାଧାରଣ ବର୍ଗ ଗରିବ ଲୋକଙ୍କ ଏ ନ୍ୟାଯ୍ୟ ଦାବିକୁ ଗ୍ରହଣ କରି ଓଡ଼ିଶାରେ ୧୦% ଇଡବ୍ଲ୍ୟୁଏସ୍ ସଂରକ୍ଷଣ ଆଇନ ଲାଗୁ କରିବାକୁ ଦାବି ରଖିଛନ୍ତି । ଅନ୍ୟଥା ସାଧାରଣ ବର୍ଗର ଲୋକମାନେ ଅଧିକ ସଙ୍ଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାର ୭୦ ହଜାରରୁ ଅଧିକ ନିଯୁକ୍ତି ଦେଇ ସାରିଲେଣି ଯେଉଁଠି ଅନ୍ୟୁନ ୭ ହଜାର ଗରିବ ସାଧାରଣ ପିଲା ନିଯୁକ୍ତି ପାଇଥାନ୍ତେ ତାହା କିଭଳି ସେମାନେ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ଲେଙ୍କା, ତ୍ରିଲୋଚନ ପଲେଇ, କୃତିବାସ ରଥ, ଦୀନବନ୍ଧୁ ଷଡ଼ଙ୍ଗୀ, ରଞ୍ଜନ କର , ଉମେଶ ଚଇନି, ସତ୍ୟନାରାୟଣ ସାମନ୍ତ ସିଂହାର, ବାଳକୃଷ୍ଣ ମହାରଣା, ଦିଲ୍ଲୀପ କୁମାର ନାୟକ, ନୀଳମାଧବ ଦାଶ, ଉଜ୍ଜଳ ପଣ୍ଡା, ବନଜାବାସିନୀ ତ୍ରିପାଠୀ, ବିଦ୍ୟୁଲତା ଓଝା ପ୍ରମୁଖ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ