ଆବାଡ଼ା ଗ୍ରାମବାସୀଙ୍କ ପାଇଁ ରାସ୍ତା ନିର୍ମାଣ କଲାନି ପ୍ରଶାସନ ନିଜେ ଗ୍ରାମବାସୀ ମରାମତି କଲେ ରାସ୍ତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଆବାଡ଼ା ଗ୍ରାମବାସୀମାନେ ବାରମ୍ବାର ନିବେଦନ, ଅଭିଯୋଗ ଦାବି ସତ୍ୱେ ସେମାନଙ୍କର କୌଣସି ମୌଳିକ ସମସ୍ୟାର ସମାଧାନ କରାଯାଉନାହିଁ. ମରଣଯନ୍ତା ରାସ୍ତାର ନିର୍ମାଣ ପାଇଁ ବହୁ ବାର ଦାବି ପରେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ. ପରିଶେଷରେ ଗ୍ରାମବାସୀ ଶ୍ରମଦାନ କରି କିଛି ଅର୍ଥ ବ୍ୟୟ ଦ୍ୱାରା ରାସ୍ତା ମରାମତି କଲେ. ପ୍ରଶାସନର ଏଭଳି ଅବହେଳାର ପ୍ରତିବାଦ ଜଣାଇ ମୌଳିକ ସୁବିଧା ଓ ସୁଯୋଗରୁ ବଞ୍ଚିତ ହୋଇଥିବା ଗ୍ରାମବାସୀମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି. ଏଠାରେ ସୂଚନା ଯୋଗ୍ୟଯେ, ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ସଜଡ଼ା ହୋଇପାରୁନି ରାସ୍ତାଘାଟ । ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଥିବା କଥା ବାରମ୍ବାର କହୁଥିବା ବେଲେ ସତ୍ୟତା କିଛି ଅଲଗା । ଗୁମ୍ମା ବ୍ଲକକୁ ନାହିଁ ପକ୍କା ରାସ୍ତା ! ଅନେକ ଥର ସରକାରଙ୍କୁ ନିଜ ଗାଁ ରାସ୍ତା ସମସ୍ୟା କଥା ଶୁଣାଇଛନ୍ତି ଗୁମ୍ମା ବ୍ଲକବାସୀ । ହେଲେ ଫଳପ୍ରଦ ହୋଇପାରି ନାହିଁ । ସେନେଇ ନିଜେ ଅଣ୍ଟା ଭିଡ଼ିଛନ୍ତି ଆବାଡା ଗ୍ରାମବାସୀ ମାନେ । ମାଟି ପକାଇ ଚଲପଥ ନିର୍ମାଣରେ ଲାଗି ପଡ଼ିଛନ୍ତି । ପକ୍କାରାସ୍ତା ନିର୍ମାଣ ନକରାଗଲେ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ କଣ ସତରେ ଆଦିବାସୀ ଅଞ୍ଚଳରେ ଉନ୍ନତି ହୋଇପାରିଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ୧୨ଟି ଗାଁର ଲୋକ ଯେଉଁ ରାସ୍ତା ଉପରେ ନିର୍ଭର କରୁଛନ୍ତି ବର୍ଷା ହେବା ମାତ୍ରେ ତାହା ଧୋଇ ହୋଇଯାଉଛି । ରାସ୍ତା ଖରାପ କାରଣରୁ ଅନେକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । କେବଳ ସେତିକି ନୁହେଁ । ପାହାଡ଼ିଆ ଅଞ୍ଚଳରେ ରାସ୍ତା ଖରାପ କାରଣରୁ ଗମନାଗମନରେ ଅନେକ ବାଧା ଦେଖାଯାଉଛି । ଏ ବିଷୟରେ ଅନେକ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରୁ ନାହିଁ । ଶେଷରେ ନିଜେ ଅଣ୍ଟା ଭିଡ଼ି ଗାଁ ରାସ୍ତାକୁ ସଜାଡ଼ୁଛନ୍ତି ଆବାଡା ଗ୍ରାମବାସୀ.ଏନେଇ ଆବାଡା ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ‘‘ରାସ୍ତା ସମସ୍ୟାକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି । ଯଦି ତାଙ୍କ ରାସ୍ତା ମରାମତି ନକରାଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ସେମାନେ ଭୋଟ ଦେବେ ନାହିଁ ।’’ ତେବେ ଏନେଇ ଯେବେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧୀକାରୀଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ, ‘‘ ଆମ ପାଖରେ ଏ ବିଷୟରେ କୌଣସି ଅଭିଯୋଗ ଆସିନାହିଁ । ଏ ବିଷୟରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ । ଯଥା ଶିଘ୍ର ଏହି ରାସ୍ତା କାମ କରାଯିବ ।’’ ତେବେ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନା କିଭଳି ଲୋକଙ୍କ କାମରେ ଆସୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ବିଡିଓଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ