ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ ସଂପର୍କରେ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):‘ଜଳହିଁ ଜୀବନ’ । ‘ଜଳ ସଂରକ୍ଷଣ ଓ ବର୍ଷାଜଳର ଅମଳ ଏବଂ ସୁବିନିଯୋଗ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ବୁଧବାର ଦିନ ବକ୍ତା ଓ ଅତିଥିମାନେ ଏହି ଆପ୍ତବାକ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ‘ଗ୍ରୀନ୍ ଜ୍ୟାକ୍‌ପଟ୍ ଇଣ୍ଟର ନ୍ୟାସନାଲ’ ନାମକ ସାମାଜିକ ସଂଗଠନ ଓ ଭାରତ ସରକାରଙ୍କ ‘ଜଳସଂପଦ ବିଭାଗ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ‘ଆତିଥ୍ୟ ଭବନ’ ସଭାଗୃହରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସମାଜସେବୀ ତଥା ପୂର୍ବତନ ବ୍ୟାଙ୍କ ଅଫିସର ପ୍ରତାପ ଚନ୍ଦ୍ର ନାୟକ, ଇଂଜିନିୟର ଡ. ହୃଷିକେଶ ସାହୁ ଓ ଡାକ୍ତର ସୁରଥ କୁମାର ନାୟକ ଅତିଥି ଓ ବକ୍ତାଭାବେ ଯୋଗଦେଇ ଜଳର ସଂରକ୍ଷଣ ଓ ଜଳର ସୁବିନିଯୋଗ ଉପରେ ମାନବ ସମାଜ ଏବେଠୁଁ ସଚେତନ ନହେଲେ ଜଳପାଇଁ ୩ୟ ପୃଥିବୀ ମହାସମର ହେବାର ଆଶଙ୍କା ରହିଛି ବୋଲି ମତ ପ୍ରଦାନ କରିଥିଲେ । ପାନୀୟ ଜଳ ଅଭାବରୁ ଆମ ରାଜ୍ୟ, ଦେଶ ଓ ବିଶ୍ୱର ଅନ୍ୟ ଦେଶମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଦୃଷ୍ଟାନ୍ତ ଦେଇ, କେବଳ ଜନ ସଚେତନତା ହିଁ ଆଗାମୀ ବିଶ୍ୱକୁ ଏହି ସଂକଟରୁ ରକ୍ଷା କରିପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ବିଦ୍ୟାଳୟସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ତଥା ଆଗାମୀ ପିଢ଼ିଙ୍କୁ ଏହି ସମସ୍ୟା ଓ ଏହାର ଭୟାବହତାର ପରିଣାମ ସଂପର୍କରେ ସଚେତନ କରାଇବା ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ ।ଉକ୍ତ ଆଲୋଚନାଚକ୍ରରେ ଇଂ. କୁମାର କାର୍ତ୍ତିକ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରି ସ୍ୱାଗତ ଅଭିଭାଷଣ ଦେଇଥିଲେ । ସଂଗଠନ ପକ୍ଷରୁ ନାରାୟଣ ବେହେରା ଗ୍ରୀନ୍ ଜ୍ୟାକ୍‌ପଟ୍‌ର ବିଭିନ୍ନ ସାମାଜିକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ସାମାଜିକ କର୍ମୀ ତଥା ଓଡ଼ିଶା ଉଠାଜଳ ସେଚନ କର୍ମଚାରୀ ସଂଘର ରାଜ୍ୟ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ଓ ସଂଗଠନର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବେଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଶିଷ୍ଟ ବ୍ୟକ୍ତି ଓ ମହିଳାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହେମନ୍ତ କୁମାର ଦାସ, କିରଣ କୁମାର ସାହୁ, ଜଗଦୀଶ ଦାସ, ଉଷାରାଣୀ ମୁଖାର୍ଜୀ, ଡଃ. ତୁଳସୀ ବେଜ୍‌, ବନ୍ଦନା ବାନାର୍ଜୀ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ