ଶଙ୍ଖାରିରେ ମନ୍ମଥ-ମନୋଜ ସ୍ମୃତି ପୀଠ ଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ପୋଲିସ ଲାଇନ ପଡ଼ିଆଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜିଲ୍ଲାରେ ୨୨୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇପାରିବେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ସେ କହିଥିଲେ ଯେ ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ସେ ଆଜି ଜିଲ୍ଲାରେ ୨୨୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଥିଲେ ଯେ ଆଜି ବାଲେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ। ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟସରକାରଙ୍କ ପ୍ରତିବଦ୍ଧାତା ଆଜି ବାଲେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି। ଭୁବନେଶ୍ୱର ଏବଂ ପଣ୍ଡିଚେରିରୁ ସଂଗୃହିତ ହୋଇଛି ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସାମଗ୍ରୀ। ଆଗାମୀ ଦିନରେ ଏହା ବହୁ ସାହିତ୍ୟିକ, ଗବେଷକଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ ହେବ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମାନ୍ୟବର ସଭାପତି ଶ୍ରୀ ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ଏବଂ ମାନ୍ୟବର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାସ କହିଥିଲେ ଯେ ଆମ ମାଟିର ଏହି ଦୁଇ କୃତୀ ସନ୍ତାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ପାଇଁ ବାଲେଶ୍ୱରବାସୀ ବହୁତ ଖୁସି ଏବଂ ବାଲେଶ୍ୱର ଜିଲ୍ଲାର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ହାତକୁ ନେଇ ଏକ ବିକାଶଶୀଳ ଜିଲ୍ଲା ଭାବେ ଏହାକୁ ପରିଣତ କରିଛନ୍ତି। ମାନ୍ୟବର ବିଧାୟକ ସିମୁଳିଆ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ଏହି ଅବସରେ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମ ଶେଷରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ