ସଡଙ୍ଗ ପଞ୍ଚାୟତ ଘେରିଲେ ମହିଳା

ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। ଯେପରି କେହି ଭୋକିଲା ନ ରହିବେ ସେଥିଲାଗି ସମସ୍ତଙ୍କୁ ମାସକୁ ୫କିଲୋ ହିସାବରେ ପିଡ଼ିଏସ ଚାଉଳ ଯୋଗାଇ ଦେଉଛନ୍ତି। ଏପରିକି ଗତ ଜାନୁୟାରୀ ମାସରେ ଜାନୁଆରୀ ଠାରୁ ଏପ୍ରିଲ ପର୍ଯ୍ୟନ୍ତ ୪ମାସର ଚାଉଳ ଯୋଗାଇ ଦେଇଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ ସଡଙ୍ଗ ପଞ୍ଚାୟତ ରେ ଚାଉଳ ବଣ୍ଟନ ହୋଇନି। ଲୋକଙ୍କ କହିବା ଅନୁଯାୟୀ ଏହି ପଞ୍ଚାୟତଟି ସରମଙ୍ଗା, ମତାବଜ, ଅଢେଇଦ୍ୱାର, ନସିରିପୁର, ସଡଙ୍ଗ ଓ ମଙ୍ଗରାଜପୁର ଗ୍ରାମକୁ ନେଇ ଗଠିତ। ୧୦୯୫ ଜଣଙ୍କୁ ରେସନ ସାମଗ୍ରୀ ଯୋଗାଇ ଦିଆଯାଏ। ଯୋଗାଣ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନିଜେ ପଞ୍ଚାୟତ ହିଁ ବୁଝୁଛି। ପଞ୍ଚାୟତ କୁ ଆସିଥିବା ଚାଉଳ ଜାନୁୟାରୀ ମାସରେ ବଣ୍ଟନ କରାଯାଇଥିବା ବେଳେ ସଡଙ୍ଗ ଗ୍ରାମକୁ ଛାଡି ଅନ୍ୟ ସବୁ ଗ୍ରାମକୁ ବଣ୍ଟନ କରାଯାଇଥିଲା। ତୁମକୁ ଶେଷ କୁ ଦିଆଯିବ ବୋଲି କହିଥିଲେ ସରପଞ୍ଚ। ହେଲେ ଜାନୁୟାରୀ ଯାଇ ଫେବୃଆରୀ ସର ମାର୍ଚ୍ଚ ହେଲା ସଡଙ୍ଗ ଲୋଜଙ୍କୁ ଚାଉଳ ଦିଆ ଗଲାନି। ଚାଉଳ ପାଇଁ ପଞ୍ଚାୟତକୁ ବାରମ୍ବାର ଯାଇ ଯାଇ ଲୋକମାନେ ନିରାଶ ହୋଇ ଫେରିଲେ। ସବୁବେଳେ ଚାଉଳ ସରିଗଲା ଆସିଲେ ଦିଆଯିବ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଲେ। ଏହାକୁ ନେଇ ଗ୍ରାମବାସୀ ନ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ପଞ୍ଚାୟତ କାର୍ଯ୍ୟାଳୟ ରେ ବ୍ୟାଗ ଓ ଟଙ୍କା ବଣ୍ଟନ କରାଯାଉ ଥିବାବେଳେ ମହିଳାମାନେ ପହଞ୍ଚି ଆଗ ଚାଉଳ ଦିଅ ପରେ ବ୍ୟାଗ ଓ ଟଙ୍କା ଦେବ ବୋଲି କହିବାରୁ ଟଙ୍କା ବାଣ୍ଟିବାକୁ ଯାଇଥିବା ସରପଞ୍ଚ ଓ ଜିଆରଏସ ବାଧ୍ୟ ହୋଇ ଫେରି ଆସିଥିଲେ। ଏହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଜଗନ୍ନାଥ ବାରିକ, ରମାକାନ୍ତ ପଢିଆରି, ନନ୍ଦିନୀ ଜେନା,ଗୌରୀ ନାୟକ,ସାବିତ୍ରୀ ନାୟକ, ରୁକ୍ମଣୀ ଜେନା, ଭାନୁମତି ଜେନା, ଛବିରାଣୀ ଜେନା, ଉଷାରାଣି ଜେନା, ସରସ୍ବତୀ ଜେନା,କନକଲତା ଜେନା, ନନ୍ଦିନୀ ଜେନା, ଉଷାରାଣି ଜେନା, ସୁଶୀଳା ଜେନା, ମାଳତୀ ଜେନା, ସୀତା ଜେନା, ଛବିଲତା ପଢିଆରି, ସଞ୍ଜୁଲତା ବାରିକ, ସତ୍ୟଭାମା ନାୟକ, ଗୋପୀନାଥ ଜେନା, ଗୋପାଲୀ ଜେନା, ରୁକ୍ମଣୀ ବାରିକ, ଭାନୁମତି ବାରିକ, ଫୁଲ ବାରିକଙ୍କ ସମେତ ଅନେକ ମହିଳା ପଞ୍ଚାୟତ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ କହିବା କଥା ଯେ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ପାଇଛନ୍ତି। କିନ୍ତୁ ତା ପରଠାରୁ ଚାଉଳ ପାଇ ନାହାନ୍ତି। ସେମାନେ ବହୁତ ଗରିବ ଶ୍ରେଣୀର ହୋଇଥିବାରୁ ଚାଉଳ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଯାହାବି ମୂଲ ମଜୁରୀ ଆଣୁଛନ୍ତି ସେଥିରେ ୩୦ଟଙ୍କା ଦେଇ ଚାଉଳ କିଣିବା ବେଳକୁ ତେଲ ଲୁଣ ପାଇଁ ଅଖଟ ହେଉଛି। ଫଳରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚାଉଳ ସପ୍ଲାୟର ତାଙ୍କୁ ୧୭୫କୁଇଣ୍ଟାଲ ଚାଉଳ ଦେଇ ନାହାନ୍ତି। ତେଣୁ ବଣ୍ଟନ ହୋଇ ପାରିନି ବୋଲି କହୁଥିବା ବେଳେ ସପ୍ଲାୟର ରଞ୍ଜନ ଦାଶ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜାନୁୟାରୀ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ସମସ୍ତ ଚାଉଳ ପଞ୍ଚାୟତ କୁ ଦିଆ ଯାଇଛି। ତେଣୁ କିଏ ସତ କହୁଛି ତାହା ଉପଯୁକ୍ତ ତଦନ୍ତ ହେଲେ ଜଣା ପଡିବ। କିନ୍ତୁ ପ୍ରଶ୍ନ ଉଠେ ଯେ ସରକାର ଗରିବଙ୍କ ପାଇଁ ଚାଉଳ ଯୋଗାଇଦେଲେ, ଲୋକଙ୍କୁ ବଣ୍ଟନ ନକରି ସେମାନଙ୍କୁ ହଇରାଣ କରାଯିବା କେତେଦୁର ଯୁକ୍ତିଯୁକ୍ତ। କେନ୍ଦୁଝର ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ