ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ତାର
ନିମାପଡ଼ା, (ସନ୍ତୋଷ ଦାଶ):କାକଟପୁର ବିଦ୍ୟୁତ ସେକ୍ସନ ୨ ଅନ୍ତର୍ଗତ ନୟାହାଟ ନିକଟସ୍ଥ ବଉଲାଙ୍ଗ ପଞ୍ଚାୟତ କଳାବୁଦା (ଅଲଣା)ଗ୍ରାମରୁ ମାଛମରା ଯାଇଥିବା ରାସ୍ତାରେ ମାଟିରେ ପଡ଼ି ରହିଛି ବିଦ୍ୟୁତ ତାର ।ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ,ଗାଈ ଗୋରୁ ଯିବା ଆସିବା କରୁଛନ୍ତି ।ଚାଷୀ ମାନେ ମଧ୍ୟ ଏହି ରାସ୍ତା ଦେଇ ନିଜ ଜମିକୁ ଯିବା ଆସିବା କରୁଛନ୍ତି। କୌଣସି ମୁହୂର୍ତ୍ତ ରେ ଏଠାରେ ଅଘଟଣ ଘଟିବା ଆଶଙ୍କା ରହିଥିବା କହିଛନ୍ତି କାଳନ୍ଦୀ ପାତ୍ର ଓ ନିରଞ୍ଜନ ପାତ୍ର ପ୍ରମୁଖ ଗ୍ରାମବାସୀ। ଖୁଣ୍ଟ ଅଛି କିନ୍ତୁ ବିଦ୍ୟୁତ ବିଭାଗର ଅବହେଳା ପାଇଁ ବିଦ୍ୟୁତ ତାର ସବୁ ତଳେ ଓହଳି ପଡ଼ିଛି।ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉନଥିବା କହିଛନ୍ତି ଝାଟୁ ଲେଙ୍କା,ବନ୍ଧୁ ପାତ୍ର ଓ ଗନ୍ଧର୍ବ ପାତ୍ର ପ୍ରମୁଖ ଗ୍ରାମବାସୀ। ତୁରନ୍ତ ଓହଳି ପଡିଥିବା ବିଦ୍ୟୁତ ତାର ସବୁ କୁ ସଜାଡିଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।