ସାଧାରଣ ନିର୍ବାଚନରେ ପ୍ରାର୍ଥନୀମାନେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ଏକ ପ୍ରସଙ୍ଗ କରିବାକୁ ଅନୁରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତରପୂର୍ବ ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ୱର ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣାକ୍ଷେତ୍ର ପ୍ରତିଷ୍ଠାପାଇଁ ଗତ ଦୁଇବର୍ଷଧରି ବିଭିନ୍ନ ମହଲରେ ଦାବି ହୋଇଆସୁଛି । ଏଥିପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତିର ବୈଠକ ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ କର୍ମଚାରୀ ସଂଘଗୃହରେ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକର ବିବରଣୀ ଅନୁମୋଦନ ସହ ଆଗାମୀ ଦିନର କାଯ୍ୟଖସଡ଼ା ଏହି ବୈଠକରେ ଅନୁମୋଦନ ଲାଭ କରିଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ କାଉନ୍‌ସିଲ୍ ବୈଠକରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ ସରକାରଙ୍କୁ କାର୍ଯ୍ୟପନ୍ଥା ପାଇଁ ପ୍ରେରଣ କରାଯାଇଛି । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ଡିନ୍ ତଥା ଅଧ୍ୟକ୍ଷ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେଲେ କୃଷି ଗବେଷଣା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ ବୋଲି ମତପ୍ରଦାନ କରିଛନ୍ତି । ୫ଟି ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଦାବିପତ୍ର ଉପରେ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀ ସେମାନଙ୍କ ମତ ପ୍ରଦାନ କରିସାରିଥିବା ସଂପର୍କରେ ସଭାପତି ଶ୍ରୀ ପଣ୍ଡା ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ।ରାଜ୍ୟସରକାରଙ୍କ କୃଷି ବିଭାଗର ସଚିବଙ୍କୁ ସାକ୍ଷାତ ପାଇଁ ଓ ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଉପରେ ସେମାନଙ୍କ ପ୍ରତିଶ୍ରୁତି ପାଇଁ ଅନୁରୋଧ କରାଯିବ ଓ ନିର୍ବାଚନ ସମୟରେ ଏକ ଖୋଲା ମଞ୍ଚରେ ପ୍ରାର୍ଥୀମାନେ ସେମାନଙ୍କ ମତାମତ ପ୍ରଦାନ ପାଇଁ ଉଦ୍ୟମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୈଠକମାନଙ୍କରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସପକ୍ଷରେ କୃଷକ, କୃଷିଶ୍ରମିକ ଓ ସାଧାରଣ ଜନତାଙ୍କୁ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି ବୈଠକରେ ସମିତିର ସାଧାରଣ ସଂପାଦକ ଚୌଧୁରୀ ଅଭୟ ଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ୟ ଲୋକନାଥ ଆଚାର୍ଯ୍ୟଙ୍କ ସମେତ ସରସ୍ୱତୀ ପଣ୍ଡା, ନିରଞ୍ଜନ ରାଉତ, ରମେଶ ପଟ୍ଟନାୟକ, ଭୂପତି ଭୂଷଣ ପାତ୍ର, ଭାଗିରଥି ମହାନ୍ତି, ସୀତାରାମ ପ୍ରଧାନ, ହରିହର ପରିଡ଼ା, ଡ. କ୍ଷିତୀଶ୍ୱର ଦାଶ, ଭାସ୍କର ଚନ୍ଦ୍ର ପାଢ଼ି, ନିରଞ୍ଜନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ଭୋଳ, ରଜନୀକାନ୍ତ ବେହେରା ଓ ଶଶିକୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂଯୁକ୍ତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ