ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ କଂଗ୍ରେସ ସଜାଡୁଛି ଘର

ହାଟଡ଼ିହି, (ବିକାଶ ବିଶ୍ୱାଳ):ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ ମାସ୨୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ହେବ ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ନିର୍ବାଚନର ଉଷ୍ଣତା ବଢ଼ି ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରତିଦିନ ବିଭିନ୍ନ ଅଂଚଳରେ ସଭାସମିତି, କର୍ମୀ ସମ୍ମିଳନୀ ଆଦି କରାଯାଇ ଭାଙ୍ଗି ପଡିଥିବା ସଂଗଠନକୁ କିପରି ପୁନର୍ବାର ସଜାଡି ହୋଇ ପାରିବ ସେଥିପାଇଁ ଲାଗିପଡିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ ଚଳିତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ହେବା ନିଶ୍ଚିତ ଥିବାରୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରି ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ଲାଗିପଡିଛନ୍ତି। ଵିଶେଷ କରି ଯଦି ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହୁଏ ତେବେ କିପରି ତାହାର ଫାଇଦା ଉଠାଯିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯଦି ବିଜେଡି ବିଜେପି ମେଣ୍ଟ ହୁଏ ଅନେକ ବିରୋଧୀ ଦଳର ସ୍ଥାନୀୟ ନେତା ଓ କର୍ମୀ ଙ୍କୁ କଂଗ୍ରେସରେ ସାମିଲ କରାଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଛନ୍ତି। କିନ୍ତୁ କ୍ରମାଗତ ୩ଟି ନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡିରେ ଏବେ ଗୋଡଟଣା ରାଜନୀତି ଦେଖିବାକୁ ମିଳିଛି। ଗତ କିଛିଦିନ ଭିତରେ ଦଳରେ ଗୋଷ୍ଠୀ କନ୍ଦଳ ଲାଗିରହିଥିବାରୁ ସଂଗଠନ ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଦଳରୁ ଟିକେଟ କାହାକୁ ଦିଆଯିବ ସେନେଇ ଚାଲିଛି ଗୋଡ ଟଣା ରାଜନୀତି। ଯାହା ଫଳରେ ଏବେ ବିଜେଡିରେ ଅସ୍ଥିରତା ଦେଖା ଦେଇଛି। ଗତ କିଛିଦିନ ହେଲା ବିଜେଡ଼ିରେ ଦସ୍ତଖତ ରାଜନୀତି ଜୋର ଧରିଛି। ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସ୍ଥାନୀୟ ବିଜେଡି କର୍ମୀ ଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ ନ କରିବା ପାଇଁ ଦଳ ସୁପ୍ରିମୋଙ୍କ ପାଖକୁ ପଠା ଯାଇଥିବା ବେଳେ ଏବେ ଦୁଇଜଣ ଆଶାୟୀ ପ୍ରାର୍ଥୀଙ୍କ ବିରୁଦ୍ଧରେ ଦସ୍ତଖତ ଅଭିଯାନ ଚାଲୁ ରହିଛି। ସେମାନଙ୍କୁ ପ୍ରାର୍ଥୀ ନ କରିବା ପାଇଁ ଏହି ଦସ୍ତଖତ ଅଭିଯାନ ଜାରି ରହିଛି। ଦିନେ ଦୁଇଦିନ ଭିତରେ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯିବ ବୋଲି ଜଣାଯାଇଛି। ବିଜେଡିରୁ ଏବେ ୧୦ରୁ ଉର୍ଦ୍ଧ ଟିକେଟ ଆଶାୟୀ ସଂଗଠନ ଛାଡି ଏବେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ସେହିପରି ବିଜେପି ତାର ସଂଗଠନ ଦୃଢ଼ୀଭୂତ କରିବାକୁ ଲାଗି ପଡିଥିବା ବେଳେ ମେଣ୍ଟ ଆଲୋଚନା ପର ଠାରୁ ବିଜେପି ଶିବିରରେ ନୀରବତା ଖେଳି ଯାଇଛି। ବିଜେପି ନେତା ମାନେ ଆଉ ଦଳୀୟ କାର୍ଯ୍ୟକ୍ରମ ପାଇଁ ବାହାରକୁ ବାହାରୁ ନାହାନ୍ତି। ବିଶେଷ କରି ଦୁଇ ୨ଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଲୋକ ସେଠୀ ଗତ କିଛିଦିନ ପୂର୍ବେ ଦିନ ରାତି ଏକ କରି ସଭା ସମିତି ଓ କର୍ମୀସମ୍ମିଳନୀ, ମିଶ୍ରଣ ପର୍ବ କରି ଚାଲିଥିବା ବେଳେ ମେଣ୍ଟ ଆଲୋଚନା ପର ଠାରୁ ଆଉ କୌଣସି ସଭା ସମିତି କରି ନାହାନ୍ତି। ମେଣ୍ଟ ହେଲେ ଆନନ୍ଦପୁର ଆସନ କାହାକୁ ସେନେଇ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ ବିଜେପି କର୍ମୀମାନେ ନିରବି ଯାଇଥିବା ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ