ଠାକୁର ଙ୍କ ବିମାନ ସମ୍ମୁଖ ରେ ଜଳୁଛି ତିହୁଡ଼ି

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଫଗୁ ଦଶମୀ ତିଥି ରୁ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଆରମ୍ଭ ହୋଇ ଯାଇଛି ଲୋକ ପର୍ବ ଦୋଳ ଉତ୍ସବ। ଏକାଦଶୀ ଠାରୁ ଠାକୁର ମାନେ ମନ୍ଦିର ରୁ ବାହାରି ସ୍ୱ ସ୍ୱ ବିମାନ ରେ ଗାଁ ଗାଁ ବୁଲି ଖାଉଛନ୍ତି ଦ୍ୱାରୀ ଭୋଗ। ଠାକୁର ଙ୍କ ଚଳନ୍ତି ପ୍ରତିମାକୁ ସୁ ସଜ୍ଜିତ ବିମାନ ରେ ବସାଇ ବେହେରା ଗୋପାଳ ମାନେ ଗାଁ ଗାଁ ବୁଲାଉ ଥିବାବେଳେ ସେବକ ମାନେ ଛତ୍ରି, ଚାମର ଧରି, ଘଣ୍ଟ ବଜାଇ ଠାକୁର ଙ୍କୁ ବାଟ କଢ଼ାଇ ନେଉଛନ୍ତି। ଗାଁ ଗାଁ ରେ ଉଜ୍ଜଳ ବିଦ୍ୟୁତ ଆଲୋକ ଲାଗିଥିଲେ ମଧ୍ୟ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କ ପାଖେ ପାଖେ ଜଳୁଛି ତିହୁଡ଼ି ବା ମଶାଲ। ଅତୀତ ରେ ରାତି ର ଘନ ଅନ୍ଧାର ରେ ଠାକୁର ମାନଙ୍କ ବିମାନ କୁ ବାଟ କଢାଇ ନେବାକୁ ଏହି ମଶାଲ ଆଲୋକ ର ବ୍ୟବସ୍ଥା ହୋଇଥିଲା ଯାହା ଏକ ପରମ୍ପରା ପାଲଟିଛି। ଯୁଗ ଓ ସମୟ ବଦଳିଥିଲେ ମଧ୍ୟ ଏବେ ବି ମଶାଲ ଠାକୁର ମାନେ ବସିଥିବା ବିମାନ କୁ ବାଟ ଦେଖାଉଛି ବୋଲି କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ବିଭିନ୍ନ ଠାକୁର ଙ୍କ ବାରିକ ସେବକ ସ୍ଵତନ୍ତ୍ର ଭାବେ ଏହି ତିହୁଡ଼ି ବା ମଶାଲ କୁ ପ୍ରସ୍ତୁତ କରିଥାନ୍ତି। ପୁରୁଷାନୁକ୍ରମେ ସେମାନଙ୍କ ପାଖରେ ଥିବା ପିତଳ ର ଏକ ଦଣ୍ଡା ର ଉପରି ଭାଗରେ ସୂତା କନା ରଖାଯାଇ ସେହି କନା କୁ ଜଡ଼ା ଅଥବା ପୋଲାଙ୍ଗ ତେଲ ରେ ଭିଜା ଯାଇଥାଏ। ତେଲ ଭିଜା କନା ରେ ଅଗ୍ନି ସଂଯୋଗ ହେଲେ ତାହା ଜଳି ଆଲୋକ ପ୍ରଦାନ କରିଥାଏ। ଯେତେ ପବନ ହେଲେ ମଧ୍ୟ ତିହୁଡି ବା ମଶାଲ ର ନିଆଁ ଲିଭି ନ ଥାଏ। ଠାକୁର ମାନଙ୍କ ବିମାନ ସମ୍ମୁଖ ରେ ବାରିକ ସେବକ ଏହି ତିହୁଡ଼ି ବା ମଶାଲ ଧରି ଆଗେଇ ଚାଲିଥାନ୍ତି। ଏ ବାବଦ କୁ ତାଙ୍କୁ ମନ୍ଦିର ତରଫରୁ ତେଲ ଓ ଖଇ ଭୋଗ ପ୍ରଦାନ କରାଯାଇଥାଏ। ଏବେ ପ୍ରତି ଗାଁ ରେ ଉଜ୍ବଳ ଆଲୋକ ର ବ୍ୟବସ୍ଥା ହୋଇଛି। ଠାକୁର ମାନଙ୍କୁ ସୁ ସଜ୍ଜିତ ଆଲୋକ ଲଗାଇ ପଟୁଆର, ଶୋଭାଯାତ୍ରା ରେ ଗାଁ ଗାଁ ପରିକ୍ରମା କରାଯାଉଛି। କିନ୍ତୁ ଠାକୁର ମାନଙ୍କ ସମ୍ମୁଖ ରେ ଏହି ତିହୁଡ଼ି ବା ମଶାଲ ଜଳିବା ବନ୍ଦ ହୋଇନାହିଁ। କାହିଁ କେତେ କାଳରୁ ଠାକୁର ଙ୍କ ବିମାନ ସମ୍ମୁଖ ରେ ତିହୁଡି ବା ମଶାଲ ଜଳିବା ରହିଥିବା ପରମ୍ପରା ଏବେ ବି ରହିଛି। ଦୋଳ ଉତ୍ସବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ