ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ

ଫାଲଗୁନ ମାସ ଶୁକ୍ଳ ଦଶମୀ ତିଥିଠାରୁ ସାରା ରାଜ୍ୟ ରେ ଆରମ୍ଭ ହୋଇଯାଇଛି ପବିତ୍ର ଦୋଳ ଉତ୍ସବ।ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା,କୃଷ୍ଣ ଓ ହରି, ହର ଙ୍କ ନିକଟରେ ଦଶମୀ ଦିନ ମନ୍ଦିର ରେ ଅବିର (ଫଗୁ) ଲାଗି କରାଯାଇଥାଏ । ରାଧାକୃଷ୍ଣ ଓ ହରି ହର ମନ୍ଦିର ଗୁଡିକ ସେହିଦିନ ଠାରୁ ଉତ୍ସବ ମୁଖର ହୋଇଉଠେ । ପୂର୍ଣ୍ଣିମା ପର୍ଯ୍ୟନ୍ତ ବୈଷ୍ଣବ ଧର୍ମାବଲମ୍ବୀ ଙ୍କ ମତାନୁଯାୟୀ ବୃନ୍ଦାବନ ର ଗୋପୀ ମାନେ ସେମାନଙ୍କର ପରମାରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ । ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ, ଦୋଳି ଖେଳାଇଥିଲେ ଏବଂ ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ। ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଙ୍କୁ ଛୋଟଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ ।ପ୍ରାୟତଃ ପ୍ରତ୍ୟେକ ଙ୍କ ଦ୍ୱାରରେ ଠାକୁରଙ୍କୁ ଦ୍ୱାରୀ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ ।ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ । ଭଗବାନ ସବୁବେଳେ ଭକ୍ତଙ୍କର।ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ । ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ । ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ।କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବାବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁର ମାନେ ଓହ୍ଲାଇ ଆସନ୍ତି ରାଜଦାଣ୍ଡ , ଗାଁ ଦାଣ୍ଡ କୁ । ଭକ୍ତର ଦ୍ୱାର ନିକଟକୁ । ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରନ୍ତି। ନିଜ ଦ୍ଵାର ମୁହଁ ରେ ଠାକୁର ମାନଙ୍କୁ ପାଇ ଭକ୍ତ ମାନେ ଖୁସି ହୁଅନ୍ତି । ଠାକୁର ମାନଙ୍କୁ ଲିଆ, ଉଖୁଡା, ଖଇ, ସାକର, ଚଣା ଭୋଗ ଲାଗି କରିବା ସହିତ ଫଗୁ, ଆମ୍ବ କଷି ଲାଗି କରିଥାନ୍ତି।ରଥଯାତ୍ରାବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ, ଶ୍ରୀକୃଷ୍ଣ ଭକ୍ତମାନଙ୍କ ଠାରୁ ଭୋଗ ନେବା ପାଇଁ ଠିକ୍ ସେହିପରି ଦୋଳ ଉତ୍ସବବେଳେ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତି ନିକଟକୁ ଘର ପାଖକୁ ।ପୁରୀ ମନ୍ଦିର ଭଳି ଭୁବନେଶ୍ୱର ଲିଙ୍ଗରାଜ, ପ୍ରାଚୀ ଉପତ୍ୟକା ର ଅମରେଶ୍ୱର, ବନ୍ଦେଶ୍ୱର, ମାଧବାନନ୍ଦ, ରାଧାକାନ୍ତ,ଗ୍ରାମେଶ୍ୱର, ଯୋଗେଶ୍ୱର,ବରେଶ୍ୱର,ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହା ସମାରୋହରେ ପାଳିତ ହୁଏ । ତୁଳସୀପୁର ନିକଟସ୍ଥ ସଭାମଣ୍ଡପ,ଚହଟା, ନୟାହାଟ ନିକଟସ୍ଥ ପିଣ୍ଡଳ,ନିଭରଣ, ପଲ୍ଲିଛକ, ବିଶୁଳିପଡ଼ା,ମାଳିତୋଟା, ଓଟର, କାକଟପୁର ନିକଟସ୍ଥ ପାଟପୁର, ଲବକୁଶ ଆଶ୍ରମ,ତେନ୍ତୁଳିଆ , କଣିହାଁ, ଗୋଧନପଡ଼ା,ଅସ୍ତରଙ୍ଗ ନିକଟସ୍ଥ ଜାଗୁଳାଇପଡ଼ିଆ,କଲେଜଛକ, ବଡ଼ଗୋଲା ଗୋଠ,ଶିଶୁଅ ପ୍ରଭୃତି ଅଞ୍ଚଳରେ ଫଗୁ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଓ ଦୋଳ ପୂର୍ଣ୍ଣିମା ଠାରୁ ପାଞ୍ଚଦିନ (ପଞ୍ଚୁ ଦୋଳ) ଓ ଦଶଦିନ ( ଦଶ ଦୋଳ)ଉତ୍ସବ ପାଳିତ ହୋଇଥାଏ। ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଦୋଳ ଉତ୍ସବ ଏକ ପ୍ରସିଦ୍ଧ ଉତ୍ସବ ଭାବେ ପଞ୍ଚଦଶ ଶତାବ୍ଦୀ ଠାରୁ ପାଳିତ ହୋଇ ଆସୁଥିବା ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର କହିଛନ୍ତି। ଦ୍ୱିତୀୟା ତିଥି ରେ ମେଣ୍ଢା ପୋଡ଼ି ଉତ୍ସବ ଓ ଯମୁନା ସ୍ନାନ ନୀତି ପରେ ଠାକୁର ମାନେ ସ୍ୱ ସ୍ୱ ମନ୍ଦିର କୁ ପ୍ରବେଶ କରିଥାନ୍ତି। ଫଗୁ ଦଶମୀ ତିଥି ଠାରୁ ଆରମ୍ଭ ହୋଇଥିବା ଦୋଳ ଉତ୍ସବ ର ପରିସମାପ୍ତି ଘଟିଥାଏ।ଜୟ ଶ୍ରୀ ରାଧେ କୃଷ୍ଣ।
ସନ୍ତୋଷ ଦାଶ। ନିମାପଡ଼ା। ପୁରୀ।
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ