କାଠକଟା ପଞ୍ଚାୟତରେ ପାନୀୟ ଜଳ ସଙ୍କଟ

ଆନନ୍ଦପୁର/ ହାଟଡ଼ିହି, (ବିକାଶ ବିଶ୍ୱାଳ):ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ କାଠକଟା ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। , ପିଇବା ପାଣି ଟୋପେ ପାଇଁ ଗାଁ ର ମହିଳା ମାନେ ୨କିଲୋମିଟର ଦୁର ଯାଇ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ମଣିଷର ସର୍ବନିମ୍ନ ଆବଶ୍ୟକତା ହେଉଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାର ବିଭିନ୍ନ ଯୋଜନାର ପ୍ରଚଳନ କରିଛନ୍ତି। ଆଉ ସେଥିପାଇଁ ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ପାନୀୟ ଜଳ ସମସ୍ୟା ସମାଧାନ ହୋଇ ପାରୁନି। ଯାହାକୁ ନେଇ ଅସହାୟ ଅବସ୍ଥାରେ ଅଛନ୍ତି ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିଷାହି ବାସିନ୍ଦା।ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ କାଠକଟା ଆଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ପାଣି ଟୋପେ ପାଇଁ ଦୀର୍ଘ ରାସ୍ତା ଯାଇଥାନ୍ତି ଗ୍ରାମର ମହିଳା ମାନେ ଗାଁ ର କିଛି ଦୂରରେ ଥିବା ବୋରୱେଲ ରୁ ଦୁଇ ତିନି ଜଣ ମିଶି ଏକା ସାଂଗରେ ହାଣ୍ଡେଲ ମାରିଲେ ବହୁତ ସମୟ ପରେ ଅଳ୍ପ ଅଳ୍ପ ପାଣି ବାହାରେ ତାହା ପୁଣି କିଛି ସମୟ ପାଇଁ, । ବାଲଟିଏ ପାଣି ବାହାରିବ ପରେ ତାହା ବନ୍ଦ ହୋଇଯାଉଛି। ଅନ୍ୟ ଦୁଇଟି ନଳକୂପ ସମ୍ପୂର୍ଣ୍ଣ ଅଚଳ। ଅନେକ ଦୂରରେ ଥିବା ଗୋଟିଏ ପୋଖରୀ ରେ ଗାଧୁଆ ପାଧୁଆ କରୁଥିବା ବେଳେ ପାହାଡ଼ କଡରେ ଥିବା ଏକ କୂଅରୁ ପାଣି ଆଣି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି। ଗାଁର ଅନେକ ବୟସ୍କ ଓ ଶିଶୁ ଙ୍କୁ ପିଇବା ପାଣି ପାଇଁ ମହିଳା ମାନଙ୍କ ଉପରେ ନିର୍ଭର କରୁଥିବା ବେଳେ ପ୍ରତିଦିନ ଗାଧୋଇ ଵାକୁ ପାଣି ପାଇ ନଥାନ୍ତି । ସେହିପରି ବିଭିନ୍ନ ଯୋଜନାରେ ମିଳୁଥବା ଆବାସ ଯୋଜନାର ଘର ଗୁଡିକ ନିର୍ମାଣ ହେଉଥିବା ବେଳେ ପାଣି ଦିଆଯାଉନଥିବା କାରଣରୁ ଘରର ସ୍ତାୟୀତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖାଲି ଏତିକି ନୁଁହ ତିନି ବର୍ଷରୁ ଅଧିକ ସମୟ ହେବ ଗାଆଁରେ ଟ୍ୟାପ୍ ଟୁ ହୋମ ଯୋଜନାରେ ପାଇପ ଲାଇନ ବିଛାଯାଇଛି । କିନ୍ତୁ ପାଣି ଆସୁନଥିବାରୁ ସେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗି ରୁଜି ନଷ୍ଟ ହୋଇ ଯାଇଛି। ଗାଁ ଟି ଉଚ୍ଚରେ ଥିବାରୁ ଗାଁକୁ ପାଣି ଯାଇ ପାରୁନି। ପାଣି ପାଇଁ ଦୀର୍ଘ ରାସ୍ତା ଯିବାକୁ ପଡୁଥିବାରୁ ଏହି ଗାଁ ର ଦୁଇଜଣ ନବ ବିବାହିତା ଶାଶୂଘର ଛାଡି ବାପ ଘରକୁ ପଳାଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିଚିତ୍ର ନାଥ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜଳକଷ୍ଟ କୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ଟ୍ୟାଙ୍କର ଯୋଗେ କୁ ପାଣି ଯୋଗେଇ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଏପ୍ରିଲ୧୫ରୁ ଦିଆଯିବ ବୋଲି ସରକାରୀ ନିୟମ ଥିବାରୁ ପୂର୍ବରୁ ଆମେ ପାଣି ଯୋଗାଇ ପାରୁନୁ ବୋଲି କହିଛନ୍ତି। ଏହା ଆଜିର ସମସ୍ୟା ନୁଁହ ଏହା ବର୍ଷ ବର୍ଷର ସମସ୍ୟା, ଆମେ ବାରମ୍ବାର ପ୍ରଶାସନ କୁ ଜଣାଉଛୁ କିନ୍ତୁ ପ୍ରଶାସନ କିଛି ପଦକ୍ଷେପ ନେଉନି ବୋଲି ସରପଞ୍ଚ କହିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଜବାନି ମାଝୀ, ହୀରାମଣି ମାଝି, ନିହାରିକା ସୋରେନ, ରଘୁନାଥ ମାଝୀ, ଧନେଶ୍ୱର ମାଝୀ, ଦୁଷ୍ମନ୍ତ ଟୁଡୁ, ଶିବାନି ସୋରେନ, ତୁଳସୀ ଟୁଡୁ, ସୁନାରାମ ଟୁଡୁ, ବୁଦୁନି ସୋରେନ ପ୍ରମୁଖ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ