ବାଘ ଆତଙ୍କ , ଲୋକେ ଭୟଭୀତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳରେ ବାଘକୁ ନେଇ ଭୟ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟି ଗୃହପାଳିତ ପଶୁର ମୃତଦେହ ମିଳିବା ଚିନ୍ତାର କାରଣ ପାଲଟିଲାଣି। ଆଜି ସକାଳୁ ପୁଣି ଏକ ମଇଁଷି ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି। ମୁଜାଗଡ ବନାଞ୍ଚଳର ଖଣ୍ଡିକୋଟି ଗ୍ରାମର ବିଶ୍ବନାଥ ଗୌଡଙ୍କ ଏକ କୁହାଁରରେ ଗାଈ ସହ ମଇଁଷି ରହିଥିଲେ।‌ ସେଥରୁ ଏକ ମଇଁଷୀ ଛୁଆକୁ ଆକ୍ରମଣ କରି ମାରି ଦେଇଥିବା ଆଜି ସକାଳ ସମୟରେ ଜଣାପଡିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଥିବା ରେଞ୍ଜର ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି।ଏହାକୁ ନେଇ ମୁଜାଗଡ ଇଲାକା ରେ ଏକ ପ୍ରକାର ଭୟର ବାତାବରଣ ରହିଥିବା ବେଳେ ମାରୁଥିବା ଜନ୍ତୁ ବାଘ ନା ଅନ୍ୟ କୌଣସି ହିଂସ୍ର ବନ୍ୟଜନ୍ତୁ ତାହା ବନ ବିଭାଗ ସ୍ପ‌ଷ୍ଟ କରି ପାରିନାହିଁ। ଯେଉଁଠି କୌଣସି ଗାଇ ବାଛୁରୀକୁ ଆକ୍ରମଣ କରୁଛି ସେହି ନିକଟରେ ବନ ବିଭାଗ ପକ୍ଷରୁ ପାଦ ଚିହ୍ନ ପାଇଁ ପିଆପି ପ୍ରସ୍ତୁତ କରିବା ସହ ଟ୍ରାପ୍‌ କ୍ୟାମେରା ଲଗାଉଛି। ତେବେ ଗୋଟିଏ ସ୍ଥାନରେ ଘଟଣା ଘଟାଇବା ପରେ ଜନ୍ତୁଟି କିଛି ଦୂର ଆଉ ଏକ ଗ୍ରାମରେ ଗୃହପାଳିତ ପଶୁକୁ ଆଟାକ୍‌ କରୁଥିବାରୁ ତାକୁ କିଭଳି ଠାବ କରିବେ ତାକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଛି। ଗତ ଗୁରୁବାର ଦିନ ବେଡିଗାବା ଗ୍ରାମରେ ଏକ ବଳଦ ଛୁଆର ମୃତ୍ୟୁ ଘଟିଥିବା ବେଳେ ସମାନ ଢଙ୍ଗରେ ଗତ ୧୯ ତାରିଖରେ ବୁଦୁଲି ଗ୍ରାମରେ ମଧ୍ୟ ଗାଈ ଓ ବାଛୁରୀକୁ ଆକ୍ରମଣ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ