ଇପିଏଫ୍ ସଂସ୍ଥାରୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନସନ୍ ଓ ମହଙ୍ଗା ଭତ୍ତା ଦାବିରେ ଜିଲ୍ଲା ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ବାଲେଶ୍ୱର ଜିଲ୍ଲା କମିଟିର ୫ମ ବାର୍ଷିକ ଅଧିବେଶନ ଓ ୨ୟ ଜିଲ୍ଲା ସମ୍ମିଳନୀ ରବିବାର ଦିନ ପୂର୍ବାହ୍ନରେ ଉଠାଜଳ ସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆୟୋଜିତ ସାଧାରଣ ସଭାରେ ଆସୋସିଏସନ୍‌ର ବରିଷ୍ଠ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଜଳଧର ପଣ୍ଡା ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ । ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ୍‌, ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁଯାୟୀ ବେତନ ହାରରେ ଅଧିକ ପେନସନ୍ ଏବଂ ମହଙ୍ଗାଭତ୍ତା ପ୍ରଦାନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଦାବିପୂରଣ ପାଇଁ ସାଧାରଣ ନିର୍ବାଚନ ପରେ ରେଳରୋକ, ଜାତୀୟ ରାଜପଥ ଅବରୋଧ ଓ ସମସ୍ତ କେନ୍ଦ୍ର ସରକାରୀ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପାଇଁ ରାଜ୍ୟ କମିଟି ଓ ଜାତୀୟ କମିଟିକୁ ସମ୍ମିଳନୀରେ ପ୍ରସ୍ତାବ ଦିଆଯାଇଛି ।ସାଧାରଣ ଅଧିବେଶନରେ ଅତିଥି ଓ ବକ୍ତାଭାବେ ପୂର୍ବତନ ବିଧାୟକ ତଥା ସିଆଇଟିୟୁ ନେତା ପ୍ରଦୀପ୍ତ ପଣ୍ଡା, ଆଇଏନ୍‌ଟିୟୁସି ଜିଲ୍ଲା ସଂପାଦକ ବିକାଶ ଦାସ, ଏଆଇଟିୟୁସିର ଆଇନ୍ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବରିଷ୍ଠ ସମାଜସେବୀ ସୀତାରାମ ପ୍ରଧାନଙ୍କ ସମେତ ପରମେଶ୍ୱର ପାତ୍ର, ଶରତ ଚନ୍ଦ୍ର ଦଳାଇ, ଅନିରୁଦ୍ଧ ମନ୍ତ୍ରୀ, ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ, ବ୍ରଜ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଏହି ବରିଷ୍ଠ ନାଗରିକମାନଙ୍କ ମାସିକ ପେନସନ୍ ବୃଦ୍ଧି ଦାବି ଓ ପ୍ରସ୍ତାବିତ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ । ମାୟାଧର ନାୟକ ଆସନ୍ତା ବର୍ଷପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ପ୍ରସ୍ତାବ ଆଗତ କରିବାପରେ ତାହା ଗୃହୀତ ହୋଇଥିଲା । ରୁପ୍‌ସା ଝୋଟ କାରଖାନାର ପୂର୍ବତନ ଶ୍ରମିକ ବୈଦ୍ୟନାଥ ପାତ୍ର ବୈପ୍ଳବିକ ସଂଗୀତ ଗାନ କରିଥିଲେ । ଜିଲ୍ଲା କମିଟିର ଅଫିସ୍ ସଂପାଦକ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ