ନିମାପଡ଼ାରେ ସମୀର ଦାଶ ବିଜେଡ଼ି ପାଇଁ କଣ୍ଟା ସାଜିବେ!

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇ ଉଠିଛି। ନିମାପଡ଼ା ରେ ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ ନାୟକ, ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଓ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଯଦିଓ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କିନ୍ତୁ ନିଜ ନିଜ ସମର୍ଥକ ମାନଙ୍କ ସହିତ ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନ ଗ୍ରସ୍ତ କରି ନିଜ ସପକ୍ଷରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ ନାୟକ ଙ୍କ ଠାରୁ ଟିକେଟ ପରିବର୍ତ୍ତନ କରି ପୁର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଙ୍କୁ ଟିକେଟ ପ୍ରଦାନ କରିବାକୁ ତାଙ୍କ ସମର୍ଥକ ମାନେ ଦଳୀୟ ନେତା ଙ୍କ ଉପରେ ଚାପ ପକାଇଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନଥିବାରୁ ସମୀର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କ ସହିତ ବିଜେଡ଼ି ଦଳ ତ୍ୟାଗ କରି ସ୍ଵାଧୀନ ପ୍ରାର୍ଥୀ ହେବେ କି ଦଳ ରେ ରହି ଦଳୀୟ ପ୍ରାର୍ଥୀ ଙ୍କ ଚେର କାଟିବେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିମାପଡ଼ା ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଭାବ ରହି ଆସିଥିବାରୁ ଓ ତାଙ୍କର ଏକ ବଳିଷ୍ଠ ସଂଗଠନ ଥିବାରୁ ଚଳିତ ନିର୍ବାଚନ ରେ ସେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି।ନିମାପଡ଼ାରେ କଂଗ୍ରେସର ବି କିଛି ନିଜସ୍ଵ ଭୋଟ ରହିଛି। ସମୀର ଯଦି ଭିତରେ କଂଗ୍ରେସ କୁ ସମର୍ଥନ କରନ୍ତି ତେବେ କଂଗ୍ରେସ ପ୍ରାର୍ଥୀ ଏଠାରେ ବିଜୟୀ ହୋଇପାରନ୍ତି। ସମୀର ଯଦି ବିଜେପି ପ୍ରାର୍ଥୀ ଙ୍କୁ ସମର୍ଥନ କରନ୍ତି ତେବେ ଏଠାରେ ଏକ ପାଖିଆ ହୋଇ ବହୁ ଭୋଟ ବ୍ୟବଧାନ ରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ଜଣା ପଡୁଛି। ଯଦି ବିଜେଡ଼ି ପକ୍ଷରୁ ଟିକେଟ ପରିବର୍ତ୍ତନ କରାଯାଇ ଦିଲ୍ଲୀପ ଙ୍କ ବଦଳରେ ସମୀର ଙ୍କ ପତ୍ନୀ ଅଥବା ସତ୍ୟବ୍ରତ ପାତ୍ର ଙ୍କୁ ପ୍ରାର୍ଥୀ କରାଯାଏ ତେବେ ଦିଲ୍ଲୀପ ନାୟକ ଓ ତାଙ୍କ ସମର୍ଥକ ମାନେ କଂଗ୍ରେସ ଦଳ କୁ ଭିତିରି ସମର୍ଥନ ଯୋଗାଇଦେବା ଆଲୋଚନା ହେଉଛି। ବିଜେଡ଼ି ଦଳ ଓ ସମୀର ଙ୍କ ନିଷ୍ପତ୍ତି କୁ ସମଗ୍ର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଓ ବିଭିନ୍ନ ଦଳ ର ପ୍ରାର୍ଥୀ ଅପେକ୍ଷା କରି ରହିଛନ୍ତି। ରୋଚକ ସ୍ଥିତିରେ ପହଞ୍ଚିଯାଇଛି ନିମାପଡ଼ା ନିର୍ବାଚନୀ ମଣ୍ଡଳୀ ର ପାଣିପାଗ।ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ