ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀ ପୀଠରେ ଝାମୁଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀ ପୀଠରେ ଗୁରୁବାର ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାମୁଯାତ୍ରା ପାଇଁ ମା’କୁତାମଚଣ୍ଡୀଙ୍କର ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରକୁ ବିଭିନ୍ନ ରଂଗବେରଙ୍ଗର ଫୁଲରେ ସଜ୍ଜା ଯାଇଥିଲା । ସକାଳ ସମୟରୁ ଘଂଟ ପାଟୁଆମାନେ ସୁସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଘଂଟର ତାଳେ ତାଳେ ଏହି ପାଟୁଆ ମନେ ନୃତ୍ୟ କରିଥାନ୍ତି । ଏହି ଝାମୁଯାତ୍ରାରେ ବିଶେଷ ଭୂମିକା ଥାଏ କାଳିସୀଙ୍କର । ଏହି ପୀଠ ଏକ ପୁରାତନ ଶକ୍ତି ପୀଠ ହୋଇଥିବା ବେଳେ ବହୁ ବର୍ଷ ଧରି କାଳିସୀ ପ୍ରଥା ଏଠାରେ ରହି ଆସିଅଛି । ଚୈତ୍ର ମାସର ଶେଷ ଗୁରୁବାର ଅନୁଷ୍ଠିତ ହୋଇଥିବା ଝାମୁଯାତ୍ରାରେ କାଳିସୀ ରବି ରାଉଳ ଖାଲି ପାଦରେ ମା’ଙ୍କ ଆଶୀର୍ବାଦ ନେଇ ନିଆଁରେ ଚାଲିଥାନ୍ତି । ଏହି ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଏପରିକି ମହିଳାମାନେ ନିଜର ମନସ୍କାମନା ପୁରଣ ପାଇଁ ମନ୍ଦିର ପାଶ୍ୱର୍ରେ ଅଧିଆ ପଡିଥାନ୍ତି । ରାତିରେ ମା’ଙ୍କ ନିକଟରେ ପଣା ଭୋଗ କରାଯାଇଥାଏ । ଶ୍ରଦ୍ଧାଳୁମାନେ ଏହି ପଣା ଭୋଗ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି । ଝାମୁଯାତ୍ରା ପାଇଁ ମନ୍ଦିର ପରିସର ଗହଳ ଚହଳ ହୋଇଥିବା ବେଳେ ବିଭିନ୍ନ ଉଠା ଦୋକାନ ବଜାର ଖୋଲାଯାଇଛି । ଉକ୍ତ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପାଇଁ ଥାନାଧିକାରୀ ସଂଘମିତ୍ରା ନାୟକଙ୍କ ତତ୍ୱାବଧାନରେ ପୋଲିସ ମୃତୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ